ପରିବା ମାର୍କେଟରେ ବାତ୍ୟା! ହଠାତ୍ ବଢିଲା ପରିବା ଦର, ଆଳୁ କିଲୋ 50 ଟଙ୍କା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଚାରିଆଡେ ଭୟର ବାତାବରଣ । ଆଜି ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ଆସନ୍ତାକାଲି ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ, ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ହେଲେ ପରିବା ନମିଳିବା ନେଇ ବର୍ତ୍ତମାନ ଗୁଜବ ସୃଷ୍ଟି ହୋଇଥିବା ବେଳେ ପରିବା ବଜାରରେ ବେଶ୍ ଭିଡ ଦେଖିବାକୁ ମିଳୁଛି । ତେବେ ଗ୍ରାହକଙ୍କ ଚାହିଦାକୁ ଦେଖି ଆଳୁ, ପିଆଜ ଦର ମଧ୍ୟ ବୃଦ୍ଧି କରୁଛନ୍ତି ଦୋକାନୀ । ନମିଳିବା ଭୟରେ ସମସ୍ତେ ବ୍ୟାଗ୍ ଫୁଲ୍ କରି ନେଇଯାଉଛନ୍ତି । ପରିବା ଦର ନିୟନ୍ତ୍ରଣରେ ରହୁଥିବା ବେଳେ ଆଳୁ, ପିଆଜ ଏବଂ ଟମାଟୋ ଦରରେ ଅହେତୁକ ବୃଦ୍ଧି ହୋଇଛି । ଆଳୁ କିଲୋ 50, ପିଆଜ 70 ଏବଂ ଟମାଟୋ କିଲୋ 100 ଟଙ୍କାରେ ବିକ୍ରି ହେଉଛି । ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ମଧ୍ୟ ଦେଖାଯାଉଛି । ଗତକାଲି 30 ଟଙ୍କା ଦର ରହିଥିବା ବେଳେ ଆଜି ଦର 50 ଟଙ୍କାରେ ପହଞ୍ଚିଛି ଆଳୁ ଦର ।

ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । 24 ରାତି କିମ୍ବା 25 ସକାଳେ ଏହା ଓଡିଶାରେ ମାଡ ହୋଇପାରେ । ପୁରୀରୁ ପଶ୍ଚିମବଙ୍ଗର ସାଗର ଦ୍ବୀପ ଅତିକ୍ରମ କରିବା ବେଳେ ପବନର ବେଗ 100ରୁ 120 କିଲୋମିଟର ରହିପାରେ ।

Get real time updates directly on you device, subscribe now.