ପୁଣିଥରେ ବିଗିଡିଲା ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା, ଆପୋଲୋ ହସ୍ପିଟାଲରେ ଚିକିତ୍ସା ଜାରି

ନୂଆଦିଲ୍ଲୀ: ପୁଣିଥରେ ବିଗିଡିଲା ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା । ଏହି କାରଣ ଯୋଗୁଁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ତେବେ ଖବର ଅନୁସାରେ, ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନଥିବା ବେଳେ ଖୁବଶୀଘ୍ର ସୂଚନା ଦିଆଯାଇପାରେ ବୋଲି କୁହାଯାଇଛି ।

ଆଡଭାନୀଙଅକୁ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।  ଲାଲକୃଷ୍ଣ ଆଡଭାନୀଙ୍କୁ 97 ବର୍ଷ ହୋଇଥିବା ବେଳେ ଗତ କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟରେ ଅବନତି ଦେଖାଯାଇଛି । 4ରୁ 5 ମାସ ଭିତରେ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଅଗଷ୍ଟ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ସେ ପୁରସ୍କାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭବନ ଆସିପାରିନଥିଲେ । ତାଙ୍କୁ ନିଜ ଆବାସରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଲାଲକୃଷ୍ଣ ଆଡଭାନୀ 1927 ମସିହା ନଭେମ୍ବର 8ତାରିଖରେ କରାଚିରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଟଳ ବାଜପେୟୀଙ୍କ ସରକାରରେ 2002ରୁ 2004 ପର୍ଯ୍ୟନ୍ତ ଦେଶର ସପ୍ତମ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । 2015 ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ବେଳେ ଚଳିତବର୍ଷ ତାଙ୍କୁ ଭାରତରତ୍ନରେ ମଧ୍ୟ ସମ୍ମାନିତ କରାଯାଇଛି ।