ହୃଦଘାତରେ ପ୍ରାଣ ହରାଇଲେ ବଙ୍ଗୀୟ ଗାୟିକା ସନ୍ଧ୍ୟା ମୁଖାର୍ଜୀ: ଫେରାଇ ଦେଇଥିଲେ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ଦୀର୍ଘ ଦିନର ଲଢେଇ ପରେ ଆଜି ସମସ୍ତଙ୍କୁ ପର କରି ପର ପାରିକୁ ଚାଲିଯାଇଛନ୍ତି ପ୍ରସିଦ୍ଧ ବଙ୍ଗୀୟ ଗାୟିକା ସନ୍ଧ୍ୟା ମୁଖାର୍ଜୀ । ୯୦ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ଗତ କିଛି ଦିନରୁ ସ୍ୱାସ୍ଥ୍ୟଗତ ସମସ୍ୟା ସହ ଲଢେଇ କରୁଥିଲେ ସନ୍ଧ୍ୟା । ତେବେ ଆଜି ହୃଦଘାତର ଶିକାର ହୋଇଥିଲେ, ଯାହାପରେ ତାଙ୍କୁ ବଞ୍ଚେଇବାର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ସେ ମୃତ୍ୟୁର ଶେଯେ ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି । କରୋନା ମହାମାରୀର ବଶବର୍ତ୍ତୀ ହୋଇ ଗତ ଜାନୁୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସନ୍ଧ୍ୟା ।
ଗତ କିଛି ଦିନ ତଳେ ସେ ପାଇଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଗ୍ରାିକା ସନ୍ଧ୍ୟା ମୁଖାର୍ଜୀ । ୯୦ ବର୍ଷ ବୟସରେ ଜଣେ ଗାୟିକାଙ୍କୁ ଏପରି ସମ୍ମାନ ଜଣାଇବା ଅତି ନିନ୍ଦନୀୟ ବୋଲି ଅନୁଭବ କରି ସେ ଗଣତନ୍ତ୍ର ଦିବସରେ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ଏନେଇ ତାଙ୍କ ଝିଅ ସୌମୀ ସେନଗୁପ୍ତା ପ୍ରକାଶ କରିଛନ୍ତି ।

Sandhya Mukherjee - Upperstall.com

ଷାଠିଏ ଏବଂ ସତୁରୀ ଦଶକରେ ସମସ୍ତଙ୍କୁ ବାନ୍ଧି ରଖିପାରୁଥିଲା ସନ୍ଧ୍ୟାଙ୍କ ସ୍ୱର । ବଙ୍ଗଳାରେ ଏକ ହଜାରରୁ ଅଧିକ ଏବଂ ଅନେକ ଭାଷାରେ ସେ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଛନ୍ତି । ୨୦୧୧ ମସିହାରେ ବଙ୍ଗା ବିଭୂଷଣ ପୁରସ୍କାରରେ ସନ୍ଧ୍ୟା ପୁରସ୍କୃତ କରିଥିଲେ ପଶ୍ଚିମବଙ୍ଗ ସରକାର । ଏହାବ୍ୟତୀତ ହଲିଉଡର କ୍ଲାସିକ ସାଉଣ୍ଡ ଅଫ ମ୍ୟୁଜିକର ବଙ୍ଗଳା ରିମେକ ଜୟ ଜୟନ୍ତୀ ପାଇଁ ସେ ଶ୍ରେଷ୍ଠ ପ୍ଲେବ୍ୟାକ ସିଙ୍ଗର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।ଏହି ପୁରସ୍କାର ତାଙ୍କୁ ୧୯୭୦ ମସିହାରେ ପ୍ରଦାନ କରାଯାଇଥିଲା ।