fbpx

୭ରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ: ଚୌକି ପାଇଁ ଶାସକ ଓ ବିରୋଧ ମଧ୍ୟରେ ଚାଲିଛି କସରତ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆସନ୍ତା ୭ ତାରିଖରେ ୧୦୫ଟି ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଏ ସଂପର୍କରେ ସମସ୍ତ ଜିଲ୍ଲାପାଳ ଓ ସଂପୃକ୍ତ ନିର୍ବାଚନ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ପୌରସଂସ୍ଥାର ଉପାଧ୍ୟକ୍ଷ ପଦବୀ ପାଇଁ ଅପ୍ରେଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ। ସେହି ଦିନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଦିନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ସେହିଦିନ ୧.୩୦ମି.ରୁ ୩.୩୦ ମି. ଭୋଟ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ ହେବ।  ମତଦାନ ପରେ ପରେ ସେହି ଦିନ ଭୋଟଗଣତି ଓ ଭୋଟଗଣତି ପରେ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଆସନ୍ତା ଅପ୍ରେଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଅପ୍ରେଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଅପ୍ରେଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଅପ୍ରେଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁନିସିାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧.୩୦ମି.ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି, ମତଦାନ ପରେ ପରେ ଭୋଟଗଣତି ଓ ଭୋଟଗଣତି ପରେ ପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ ।

Get real time updates directly on you device, subscribe now.