fbpx

ରେଳ ଧାରଣାରେ ଖସିପଡିଲେ ମା’ ସହ ୨ ଶିଶୁ ; ଉପର ଦେଇ ଦ୍ରୁତ ଗତିରେ ଚାଲିଗଲା ଟ୍ରେନ୍‌, କିନ୍ତୁ ସମସ୍ତେ ସୁରକ୍ଷିତ

ପାଟନା: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ବିହାରର ପାଟନା ରେଳଷ୍ଟେସନରେ ଏପରି ଏକ ଘଟଣା ଘଟିଛି ଯାହା ଏହି କଥାକୁ ପୁଣି ଥରେ ପ୍ରମାଣିତ କରିଦେଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣଙ୍କ କଲିଜା କମ୍ପି ଉଠିବ । ଏଠାରେ ଏକ ଟ୍ରେନରେ ଠେଲାପେଲା ସମୟରେ ଏକ ମହିଳା ନିଜର ଦୁଇ ଶିଶୁଙ୍କ ସହିତ ରେଳ ଧାରଣାରେ ଖସି ପଡିଥିଲା । ଏହାପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍ ସେହି ଧାରଣା ଦେଇ ଅତିକ୍ରମ କରିଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ୩ ଜଣଙ୍କୁ ସାମାନ୍ୟ ଆଘାତ ବି ପହଞ୍ଚିନି । ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

ବିହାର ପାଟନା ସ୍ଥିତ ବାଢ ରେଳଷ୍ଟେସନର ପ୍ଲାଟଫର୍ମ ନଂ ୩ରେ ଶନିବାର ଏକ ଭୟାନକ ଦୁର୍ଘଟଣା ଘଟିଛି । ବିକ୍ରମଶିଳା ଟ୍ରେନ୍‌ରେ ଚଢିବା ସମୟରେ ଠେଲାପେଲାରେ ଜଣେ ମହିଳା ୨ଶିଶୁଙ୍କ ସହିତ ରେଳ ଧାରଣାରେ ଖସି ପଡିଥିଲେ । ଏହାପରେ ଉକ୍ତ ଟ୍ରେନ୍ ୩ ଜଣଙ୍କ ଉପର ଦେଇ ଅତିକ୍ରମ କରିଯାଇଥିଲା । କିନ୍ତୁ ମା’ ସହ ୨ ଶିଶୁଙ୍କୁ ସାମାନ୍ୟ ବି ଆଞ୍ଚ ପହଞ୍ଚି ନାହିଁ । ରେଳ ବିଭାଗ ପୋଲିସ ଟ୍ରେନ୍ ଚାଲିଯିବା ପରେ ୩ ଜଣଙ୍କୁ ରେଳ ଧାରଣାରୁ ଉଠାଇଥିଲା ।

ପୋଲିସର ସୂଚନା ଅନୁଯାୟୀ ବେଗୁସରାୟ ନିବାସୀ ରବି କୁମାର ନିଜ ପତ୍ନୀ ଓ ୨ ଶିଶୁଙ୍କ ସହ ବାଢ ଷ୍ଟେସନରେ ବିକ୍ରମଶିଳା ଏକ୍ସପ୍ରେସରେ ଚଢି ଦିଲ୍ଲୀ ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଟ୍ରେନରେ ଚଢିବା ସମୟରେ ବହୁତ ଭିଡ ଲାଗି ରହିଥିଲା । ଫଳରେ ରବିଙ୍କ ପତ୍ନୀ ଓ ଦୁଇ ଶିଶୁ ଟ୍ରେନ୍‌ରେ ଚଢୁଥିବା ସମୟରେ ଖସି ପଡିଥିଲେ । ଏହାପରେ ଲୋକମାନେ ତାଙ୍କୁ ବଞ୍ଚାଇବା ଲାଗି ଚିତ୍କାର କରିଥିଲେ । କିନ୍ତୁ ଟ୍ରେନ୍ ଚାଲିବା ଆରମ୍ଭ କରି ଦେଇଥିଲା । ମା’ ନିଜର ଦୁଇ ଛୁଆଁଙ୍କୁ ଛାତିରେ ଜାବୁଡି ଧରି ମାଟିରେ ମୁଣ୍ଡକୁ ଲଗାଇ ରହିିଯାଇଥିଲା । ଏହାପରେ ଟ୍ରେନର ବହୁ ଡବା ତାଙ୍କ ଉପର ଦେଇ ଅତିକ୍ରମ କରିଯାଇଥିଲା । ଅଢେଇ ମିନିଟ୍ ପରେ ଯେତେବେଳେ ଟ୍ରେନ୍ ଅତିକ୍ରମ କରିଯାଇଥିଲା ସେତେବେଳେ ମହିଳା ଓ ଦୁଇ ଶିଶୁଙ୍କୁ ଅକ୍ଷତ ଅବସ୍ଥାରେ ପାଇ ସମସ୍ତେ ଈଶ୍ୱରଙ୍କୁ ହିଁ ହାତ ଯୋଡିଥିଲେ ।

Get real time updates directly on you device, subscribe now.