fbpx

(Video): ହଠାତ ବେହୋସ ହୋଇଗଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଜାମ୍ମୁ କାଶ୍ମୀର ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ଅଘଟଣ

ନୂଆଦିଲ୍ଲୀ: ରବିବାର ଜାମ୍ମୁ କାଶ୍ମୀରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ଏକ ବଡ଼ ଅଘଟଣ ଘଟିଥିଲା । ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ହଠାତ ସେ ମଞ୍ଚ ଉପରେ ବେହୋସ ହୋଇଯାଇଥିଲେ ।

ରବିବାର ଜାମ୍ମୁ କାଶ୍ମୀରର କାଠୁଆରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ହଠାତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । ସେ ବେହୋଶ ହୋଇଯାଇଥିଲେ । ଖଡ଼ଗେଙ୍କ ଏଭଳି ଅବସ୍ଥା ଦେଖି ମଞ୍ଚାସୀନ ଅନେକ ନେତା ତାଙ୍କୁ ସମ୍ଭାଳିଥିଲେ । କିନ୍ତୁ ଅସୁସ୍ଥତା ଅନୁଭବ କରୁଥିବା ସତ୍ତ୍ୱେ ଖଡ଼ଗେ ତାଙ୍କ ଉଦ୍‌ବୋଧନ ଜାରି ରଖିଥିଲେ । ସେ କହିଥିଲେ, ‘ରାଜ୍ୟ ମାନ୍ୟତା ପାଇଁ ଆମେ ଲଢ଼େଇ ଜାରି ରଖିବୁ । ବର୍ତ୍ତମାନ ମୋତେ ୮୩ ବର୍ଷ ବୟସ । ମୁଁ ଏତେ ଶୀଘ୍ର ମରିବି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଯେପର୍ଯ୍ୟନ୍ତ ଗାଦିଚ୍ୟୁତ ନ ହୋଇଛନ୍ତି ସେପର୍ଯ୍ୟନ୍ତ ମୁଁ ଜୀବିତ ରହିବି ।’

କଂଗ୍ରେସ ଅଧ୍ୟକ୍ଷ ଉଦ୍‌ବୋଧନ ଦେବା ସମୟରେ ବିଜେପି ଏବଂ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ, ‘ଏହି ଲୋକମାନେ (କେନ୍ଦ୍ର ସରକାର) କେବେ ନିର୍ବାଚନ କରିବାକୁ ଚାହୁଁନଥିଲେ । ସେମାନେ ଚାହିଁଥିଲେ କିଛି ବର୍ଷ ମଧ୍ୟରେ କରିପାରିଥାନ୍ତେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିପାରିଥାନ୍ତେ କିନ୍ତୁ ଏପରି କରିଲେ ନାହିଁ । ସେମାନେ ଲେଫ୍ଟନାନ୍ଟ ଗଭର୍ନରଙ୍କ ମାଧ୍ୟମରେ ଏକ ରିମୋଟ୍ ଚାଳିତ ସରକାର ଚାହୁଁଥିଲେ ।’ସେ ଆହୁରି ମଧ୍ୟ କହିଥିଲେ କି ବିଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଯୁବ ବର୍ଗଙ୍କୁ କିଛି ଦେଇନାହାଁନ୍ତି । ଯେଉଁ ବ୍ୟକ୍ତି ୧୦ ବର୍ଷ ମଧ୍ୟରେ ସମୃଦ୍ଧି ଆଣିପାରିଲା ନାହିଁ ତା’ ଉପରେ ଆପଣମାନେ କିପରି ବିଶ୍ୱାସ କରିବେ । କୌଣସି ବିଜେପି ନେତା ଆପଣଙ୍କ ସମ୍ମୁଖରେ ଆସିଲେ ଏହି ପ୍ରଶ୍ନ ପଚାରନ୍ତୁ ।’ଉଲ୍ଲେଖଯୋଗ୍ୟ ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେଲା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ତୃତୀୟ ଏବଂ ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରବିବାର ନିର୍ବାଚନୀ ପ୍ରଚାର ପାଇଁ ଶେଷ ତାରିଖ ଥିଲା । ଅକ୍ଟୋବର ୩ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହେବ ।

Get real time updates directly on you device, subscribe now.