CHARIDHAM

Video: ବ୍ୟସ୍ତ ବହୁଳ ରାଜଧାନୀ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ କରି ହତ୍ୟା, ସିସିଟିଭିରେ କଏଦ୍ ହେଲା ଘଟଣା ସମୟର ଦୃଶ୍ୟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଦିନ ଦିପ୍ରହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ସାର୍ବଜନିକ ସ୍ଥାନରେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି। ହତ୍ୟା ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଘଟଣାଟି ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଏକ ବଜାରରେ ଘଟିଛି।

ପୋଲିସ ଦେଇଥିବା ସୂଚନା ଅନୁସାରେ ୨୫ ବର୍ଷୀୟ ମୟଙ୍କ ତାଙ୍କ ସାଙ୍ଗ ମାନଙ୍କ ସହ ବଜାର ଆସିଥିଲେ। ଏହି ସମୟରେ ଚାରିରୁ ପାଞ୍ଚ ଜଣ ତାଙ୍କ ଆଡ଼କୁ ଛୁରା ଭୁଜାଲି ଧରି ଦୌଡ଼ି ଆସିଥିଲେ। ସିସିଟିଭି ଭିଡିଓରେ ଦେଖିବାକୁ ମିଳୁଛି ଯେ, ମୟଙ୍କ ରାସ୍ତା ପାର କରିବା ପୁର୍ବରୁ ଦୁର୍ବତ୍ତମାନଙ୍କ ସହିତ ଯୁକ୍ତିତର୍କ କରୁଛନ୍ତି। ଏହି ସମୟରେ ସେମାନେ ମୟଙ୍କୁ ଧକ୍କା ମାରିବା ସହ ତାଙ୍କ ପେଟରେ ଛୁରା ପୁରାଇ ଦେଇଥିଲେ।

ବ୍ୟସ୍ତ ଦିଲ୍ଲୀ ସଡ଼କରେ ସେହି ରାସ୍ତା ଦେଇ ଅନେକ କାର୍ ଏବଂ ମୋଟର ସାଇକେଲ ଯାଇଉଥିଲେ ମଧ୍ୟ କେହି ଏହି ହତ୍ୟାକାଣ୍ଡକୁ ରୋକିବାକୁ ଚେଷ୍ଟା କରି ନଥିଲେ। ଦୁର୍ବତ୍ତମାନେ ପଳାୟନ କରିବା ପୁର୍ବରୁ ମୟଙ୍କଙ୍କୁ ସାମ୍ନା ପଟରୁ ଅନେକ ବାର୍ ଛୁରା ମାଡ଼ କରୁଥିବା ଦେଖିବାକୁ ମିଳିଥିଲା।

ଏହାପରେ ମୟଙ୍କ ସାଙ୍ଗମାନେ ରାସ୍ତାରେ ଯାଉଥିବା କିଛି ଲୋକଙ୍କ ସାହାଯ୍ୟରେ ତାଙ୍କୁ ନେଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସିସିଟିଭି ସାହାଯ୍ୟରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି।