CHARIDHAM

ଟଙ୍କା ଲୋଭରେ କାଟି ଦେଲେ ମୂଲ୍ୟବାନ ଗଛ, ବେଆଇନ୍ ବିକ୍ରିକୁ ନେଇ ତାତିଲେ ଗ୍ରାମବାସୀ

ବାଲେଶ୍ୱର: ସ୍କୁଲ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଗଛଗୁଡ଼ିକ କାଟି ସଫା କରିଦେଇଛନ୍ତି । ନିଛାଟିଆ ଦିଶୁଛି ସମ୍ପୂର୍ଣ୍ଣ ପରିବେଶ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଂଶକୁଲି ସ୍ଥିତ ଶ୍ରୀନାଥ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ।

ମୂଲ୍ୟବାନ ଗଛ ବିକ୍ରି: ବିଦ୍ୟାଳୟ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କାଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକ୍ରି କରିଦେଇଥିବା ଅଭିଯୋଗରେ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଗ୍ରାମବାସୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ।

ବେଆଇନ ବିକ୍ରି: ପନ୍ଦରରୁ ଉର୍ଦ୍ଧ୍ୱ ଗଛ କାଟି କିଛି କାଠ ବିକ୍ରି କରି ଦେଇଥିବା ବେଳେ ଆଉ କିଛି କାଠ ଗଣ୍ତି ବିଦ୍ୟାଳୟ ପରିସରରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ପରିସରରେ ଥିବା ବହୁ ମୂଲ୍ୟବାନ ଗଡ଼ ଗୁଡ଼ିକ ବେଆଇନ୍ ଭାବରେ କାଟି ବିକ୍ରି କରୁଥିବା ଅଭିଯୋଗ କରି ଗ୍ରାମବାସୀମାନେ ବସ୍ତା ଗୋଷ୍ଠୀ ଶିକ୍ଷାଅଧିକାରୀ, ତହସିଲଦାର, ସିଂଲା ଥାନା ଏବଂ ଲଙ୍ଗଳେଶ୍ୱର ବନବିଭାଗ ପାଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ଅଭିଯୋଗ ଖଣ୍ଡନ: ଏହି ଘଟଣାକୁ ନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ପୋଖରୀ ପୁନଃରୁଦ୍ଧାର ପାଇଁ ସରପଞ୍ଚ କିଛି ଛୋଟ ଗଛ କାଟିଥିବା କଥାକୁ ସ୍ୱୀକାର କରିଥିବା ବେଳେ ମୂଲ୍ୟବାନ ଗଛ କାଟି ବିକ୍ରି କରିବା କଥା ଜାଣି ନଥିବା କହିଥିଲେ । ଅନ୍ୟପଟେ ରାଜସ୍ୱ ନିରୀକ୍ଷକ କହିଛନ୍ତି ବେଆଇନ ଭାବରେ ଗଛ କଟା ଯାଇଛି, ଏବଂ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ।

ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଜାଣତରେ ସରପଞ୍ଚ କେମିତି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ କାଟି ବିକ୍ରି କରି ଦେଇଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନି ।