ରାତି ହେଲେ କୂଅରୁ ବାହାରୁଥିଲା ବିକଟାଳ ଶବ୍ଦ, ଭୟରେ ଗ୍ରାମବାସୀ

ନୂଆଦିଲ୍ଲୀ- ମଣିଷ ସବୁ ସମୟରେ ଭୂତ ପ୍ରେତଙ୍କ ଉପସ୍ଥିତିକୁ ନେଇ ସନ୍ଦିହାନ ।ଏହା ଏକ ଆଦିମ ଉତ୍ସୁକତା । ଆଉ ଏହାକୁ ଜୀବନ୍ତ କରିଦିଏ ଏମିତି କିଛି ଘଟଣା । ଠିକ ଯେମିତି ଘଟିଛି ଥାଇଲ୍ୟାଣ୍ଡରେ । ଏକ କୂଅରୁ ବାହାରୁଥିବା ଭୟଙ୍କର ଗର୍ଜନ ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି । ରାତିରେ ଗର୍ଜନର ତୀବ୍ରତା ଅଧିକ ଭୟଙ୍କର ଓ ବିକଟାଳ ହେଉଥିଲା । ଏହି ଶବ୍ଦରେ ଲୋକେ ଭୟରୁ ଘରୁ ବାହାରି ଗାଁ ଦାଣ୍ଡରେ ଏକାଠି ହେବାକୁ ଅଧିକ ସୁରକ୍ଷିତ ମଣିଲେ ।

ଘଟଣାଟି ଘଟିଛି ଥାଇଲାଣ୍ଡ- ମିଆମାର ସୀମାରେ ଥିବା ଏକ ଛୋଟ ଗାଁରେ । ରାତିର ନିଶବ୍ଦତା ଭିତରୁ ହଠାତ୍ ଗାଁର ଲୋକ ଏକ ବିକଟଳା ଶବ୍ଦ ଶୁଣିଲେ । ଶବ୍ଦକୁ କାନ ପାରିବା ପରେ ପୁଣି କିଛି ସମୟରେ ଆଉ ଏକ ଆହୁରି ଭୟଙ୍କର ଚିକ୍ରାର ଶୁଭିଲା, ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କଲା । ଭୟରେ ଲୋକେ ଘରୁ ବାହାରକୁ ଚାଲି ଯିବାକୁ ଶ୍ରେୟ ମଣିଲେ । ସମସ୍ତ ଏକଜୁଟ ହୋଇଥିବା ସତ୍ତେ୍ୱ ସମସ୍ତଙ୍କ ଭିତରେ ଭୟ ଅଧିକରୁ ଅଧିକ ଜମାଟ ବାନ୍ଧୁଥିଲା । କାରଣ ଜଙ୍ଗଲରୁ ଆସୁଥିବା ଏହି ଶବ୍ଦ କିଛି ସମୟ ବ୍ୟବଧାନରେ ଶୁଣାଯିବା ସହ ଅଧିକରୁ ଅଧିକ ବିକଟାଳ ଲାଗୁଥିଲା ଲୋକଙ୍କୁ । ହେଲେ ସୂର୍ଯ୍ୟ ଉଇଁବା ପରେ ଏହା ଆଉ ଶୁଣାଯାଉ ନଥିଲା । ପୁଣି ରାତିର ପ୍ରତି ପ୍ରହର ସହ ଚିକ୍ରାର ଶୁଭୁଥିଲା ।

ଲୋକଙ୍କ ଭିତରେ ଆତ୍ମାର ଉପସ୍ଥିତି ଏକ ଅଜଣା ଅସ୍ଥିରତା ସୃଷ୍ଟି କରୁଥିଲା । କେତେବେଳେ ଏହି ଆତ୍ମା ଗାଁକୁ ପଶି କାହାର ଜୀବନ ନେବ ତାକୁ ନେଇ ଚର୍ଚ୍ଚା ଭିତରେ ପୋଲିସ ଏହି ଖବର ପାଇଲା । ପୋଲିସ ଆସି ଲୋକଙ୍କଠାରୁ ସବୁ ଶୁଣିବା ପରେ ଘଟଣାର ସତ୍ୟାତା ଜାଣିବାକୁ ଚେଷ୍ଟା କଲା । ଶବ୍ଦ ଆସୁଥିବା ଦିଗକୁ ପୋଲିସ ଟିମ ଯାଉଥିଲେ ମଧ୍ୟ ସେହି ବିକଟଳ ଶବ୍ଦ ସେମାନଙ୍କ ଛାତି ଥରାଇ ଦେଉଥିଲା । ଶେଷରେ ଟିମର ଅଳ୍ପ କିଛି ଅଧିକାରୀ ଏକ ପୁରୁଣା, ପରିତ୍ୟକ୍ତ କୂଅ ଭିତରୁ ଶବ୍ଦ ଶୁଭୁଥିବା ଜାଣିଲେ ଓ ସେଠାକୁ ଗଲେ ।

ସେଠି ଯାହା ଦେଖିଲେ, ପୋଲିସ ଟିମର ହୋସ ଉଡିଗଲା । କୂଅ ଭିତରେ ପଡିଥିଲେ ଜଣେ ବ୍ୟକ୍ତି । ଚୀନର ଲିୟୁ ଚୁଆନୟୀ । ସେ ଜଙ୍ଗଲରେ ବୁଲିଥିବା ବେଳେ ଅଜାଣତରେ କୂଅରେ ପଡିଯାଇଥିଲେ । ଜୀବନ ବଞ୍ଚାଇବାକୁ ଚିକ୍ରାର କରୁଥିଲେ, କାଳେ କେହି ଶୁଣି ତାଙ୍କୁ ବଞ୍ଚାଇବ । ତିନି ଦିନ ଧରି ଖଣ୍ଡିଆ ଖାବରା ଲିୟୁ ସାହାଯ୍ୟ ପାଇଁ ଚିକ୍ରାର କରୁଥିଲେ । କିନ୍ତୁ ଆହତ ହେବା ସହ ଖାଦ୍ୟ ଅଭାବରୁ ସେ କିଛି ସମୟ ବ୍ୟବଧାନରେ ଲୋକଙ୍କୁ ଡାକ ପକାଉଥିଲେ ।

ହେଲେ କୂଅର କାନ୍ଥରେ ମାଡ ଖାଇ ସେହି ଶବ୍ଦ ଅତିହିଁ ଭୟଙ୍କର ଓ ବିକଟାଳ ଶୁଭୁଥିଲା । ପୋଲିସ ଲିୟୁଙ୍କୁ ଉଦ୍ଧାର କରି ତାଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ମଣିଷ ମନର ଭ୍ରମ ଓ ଭୟ ଅନେକ ସମୟରେ ଏମିତି କିଛି ଶବ୍ଦ ବା ସ୍ଥିତିକୁ ଭୂତ, ପ୍ରେତର ସର୍ଜନା କରେ ।