fbpx

Disqualify ହେବା ପରେ ହସ୍ପିଟାଲରୁ ଭିନେଶଙ୍କ ପ୍ରଥମ ଫଟୋ, ସାମ୍ନାକୁ ଆସିଲା ପିଟି ଉଷାଙ୍କ ବୟାନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସରେ ମେଡାଲ ଜିତିବାର ସ୍ୱପ୍ନ ଚୁରମାର ହୋଇଗଲା । ଫାଇନାଲ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଭାରତକୁ ଶକ୍ତ ଝଟକା ଦେଇଛି । ଭିନେଶଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିବାରୁ ସେ ଡିସକୁ୍ୟାଲିଫାଇ ହୋଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଭଳି ସ୍ଥିତିରେ ଭାରତୀୟ ଅଲିମ୍ପିକ ସଂଘ(IOA)ର ଅଧ୍ୟକ୍ଷ ପିଟି ଉଷା ତାଙ୍କୁ ଭେଟିବା ପାଇଁ ହସ୍ପିଟାଲ ଆସିଥିଲେ । ତେବେ ହସ୍ପିଟାଲରୁ ଭିନେଶଙ୍କ ପ୍ରଥମ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଲିମ୍ପିକରେ ପଦକ ଜିତିବାର ସ୍ୱପ୍ନ ପ୍ରାୟ ସବୁ ଖେଳାଳି ଦେଖିଥାନ୍ତି । କିନ୍ତୁ ଭିନେଶଙ୍କ ଏହି ସ୍ୱପ୍ନ ଭାଙ୍ଗିଯାଇଛି । ହସ୍ପିଟାଲରେ ଭିନେଶଙ୍କ ମୁଖମଣ୍ଡଳରେ ନିରାଶା ଓ କଷ୍ଟ ସ୍ପଷ୍ଟ ବାରି ହୋଇପଡ଼ୁଛି । ଓଜନ ହ୍ରାସ କରିବା ପାଇଁ ସେ କେଶ କାଟିଥିଲେ, ରାତି ସାରା ୱାର୍କଆଉଟ୍ କଲେ, ରକ୍ତଦାନ କଲେ । ପିଟି ଉଷା ଏକ ବୟାନରେ କହିଛନ୍ତି, ‘ମୁଁ ତାଙ୍କୁ ହସ୍ପିଟାଲରେ ଭେଟିଛି । ଭାରତୀୟ ଅଲିମ୍ପିକ ସଂଘ ଏବଂ ଭାରତ ସରକାର ତଥା ଦେଶବାସୀଙ୍କ ସମର୍ଥନର ଆଶ୍ୱାସନା ଦେଇଛି । ଆମେ ଭିନେଶଙ୍କୁ ସମସ୍ତ ପ୍ରକାର ମେଡିକାଲ ଏବଂ ଇମୋସନାଲ ସପୋର୍ଟ ପ୍ରଦାନ କରୁଛୁ । ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ପାଇଁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ପାଖରେ ନିବେଦନ କରିଛୁ । ଅଲିମ୍ପିକ ଦଳର ମନୋବଳ ଉଚ୍ଚା ରଖିବା ପାଇଁ ଏବଂ ସମସ୍ତ ଭାରତୀୟ ଭିନେଶ ଏବଂ ଅଲିମ୍ପିକ ଦଳ ସହ ଛିଡ଼ା ହେବା ପାଇଁ IOA ସମସ୍ତ ପ୍ରୟାସ କରୁଛି ।’

Get real time updates directly on you device, subscribe now.