fbpx
BSKY SKY
BSKY SKY

ପତ୍ନୀଙ୍କ ପ୍ରେମିକଙ୍କ ଫୋନ ବିବରଣୀ ମାଗିବା ବ୍ୟକ୍ତିର ‘ଗୋପନୀୟତା ଅଧିକାର ଉଲ୍ଲଂଘନ’: ହାଇକୋର୍ଟ

BSKY

ବାଙ୍ଗାଲୋର: ଏକ ଦମ୍ପତିଙ୍କ ବିବାହ ମାମଲାରେ ତୃତୀୟ ପକ୍ଷର କଲ୍ ଏବଂ ମେସେଜ ଭଳି ବିବରଣୀ ଦାଖଲ କରିବାକୁ ଫ୍ୟାମିଲି କୋର୍ଟଙ୍କ ନିର୍ଦେଶ ଉପରେ ରୋକ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ଯେ, ଏହା ତୃତୀୟ ପକ୍ଷର ଗୋପନୀୟତାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି, ଯିଏ ସମ୍ପୃକ୍ତ ବିବାହ ବିବାଦରେ ପତ୍ନୀଙ୍କ ପ୍ରେମିକ ବୋଲି କୁହାଯାଉଛି।

‘ତୃତୀୟ ପକ୍ଷ’ର ନିବେଦନକୁ ଅନୁମତି ଦେଇ ଜଷ୍ଟିସ. ଏମ. ନାଗପ୍ରସାନ୍ନା ନିକଟରେ ଦେଇଥିବା ତାଙ୍କ ରାୟରେ କହିଛନ୍ତି ଯେ, ସ୍ୱାମୀଙ୍କ ନିବେଦନ ଉପରେ ତୃତୀୟ ପକ୍ଷର ଗୋପନୀୟତା ଉପରେ ଆକ୍ରମଣ କରିବା ଅନୁମୋଦିତ ନୁହେଁ। ୨୦୧୮ ମସିହାରୁ ବେଙ୍ଗାଲୁରୁର ପରିବାର କୋର୍ଟରେ ଏହି ଦମ୍ପତିଙ୍କ ମଧ୍ୟରେ ବୈବାହିକ ମାମଲା ଚାଲିଛି।

ଘଟଣା ଅନୁସାରେ ଏହି ମାମଲାରେ ଫେବୃଆରୀ ୨୮, ୨୦୧୯ ରେ ଫ୍ୟାମିଲି କୋର୍ଟ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ରେକର୍ଡ ବିବରଣୀ ମଗାଇବାକୁ ଅନୁମତି ଦେଇଥିଲେ, ଯିଏ ଏହି ପାରିବାରିକ ମାମଲାର ଅଂଶ ନୁହଁନ୍ତି। ଏହି ସ୍ୱାମୀ ଜଣକ ଅଭିଯୋଗ କରିଛନ୍ତି ଯେ, ଏହି ତୃତୀୟ ପକ୍ଷ ତାଙ୍କ ପତ୍ନୀଙ୍କ ପ୍ରେମିକ ଏବଂ ମୋବାଇଲ୍ ନମ୍ବରର ସବିଶେଷ ତଥ୍ୟ ମାଧ୍ୟମରେ ସେମାନଙ୍କର ଅନୈତିକ ସମ୍ପର୍କ ପ୍ରମାଣ କରିବାକୁ ଚାହୁଁଛନ୍ତି। ତେବେ ଏହି ମାମଲାରେ ତୃତୀୟ ପକ୍ଷ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହା ୨୦୧୯ ରେ ପରିବାର କୋର୍ଟଙ୍କ ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇ ଦେଇଥିଲା। ଏହାପରେ ନଭେମ୍ବର ୩୦, ୨୦୨୨ ରେ ହାଇକୋର୍ଟ ଏହି ମାମଲା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଏହି ମାମଲାରେ ତୃତୀୟ ପକ୍ଷର ଆବେଦନକୁ ଅନୁମତି ଦେଇ ହାଇକୋର୍ଟ କହିଛନ୍ତି ଯେ, ଜଣେ ନାଗରିକ ନିଜର, ପରିବାର, ବିବାହ ଏବଂ ଅନ୍ୟାନ୍ୟ ସମ୍ମତିଭିତ୍ତିକ ସମ୍ପର୍କର ଗୋପନୀୟତା ରକ୍ଷା କରିବାର ଅଧିକାର ପାଇଛନ୍ତି। ଗୋପନୀୟତା ଅଧିକାରର ଜଣେ ବ୍ୟକ୍ତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ, ଯେଉଁ ଆଦେଶ ଆବେଦନକାରୀଙ୍କୁ ମୋବାଇଲ୍ ବିବରଣୀ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥାଏ, ତାହା ନିଶ୍ଚିତ ଭାବରେ ସୂଚନାଗତ ଗୋପନୀୟତାକୁ ଉଲ୍ଲଂଘନ କରେ ବୋଲି କୋର୍ଟ କହିଛନ୍ତି।

Get real time updates directly on you device, subscribe now.