fbpx

ହିଂସକ ହେଲା ‘ଅଗ୍ନିପଥ’ ଆନ୍ଦୋଳନ, ଟ୍ରେନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ, ବସ୍ ଭଙ୍ଗାରୁଜା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ଆରମ୍ଭ ହୋଇ ଯାଇଛି। ବିହାରରେ ଜାରି ବିକ୍ଷୋଭ ପ୍ରଦର୍ଶନ ସଂପ୍ରତି ହିଂସାର ରୂପ ନେଇଛି। ରାଜ୍ୟର କୈମୁର ଜିଲ୍ଲାର ଭଭୁଆ ରୋଡ୍ ରେଲଓ୍ଵେ ଷ୍ଟେସନରେ ଉତ୍ତ୍ୟକ୍ତ ପ୍ରଦର୍ଶକାରୀ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ଆରା ଜଙ୍କସନ ରେଲଓ୍ଵେ ଷ୍ଟେସନର ପ୍ଲାଟଫର୍ମ ୪ରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଯାତ୍ରୀଙ୍କ କୌଣସି କ୍ଷତି ଘଟିନଥିବା ଜଣା ପଡିଛି। ଛପରାରେ ବସ୍ ଭଙ୍ଗାରୁଜା କରାଯାଇଛି।

ବିଶେଷ କରି କୈମୁର ଜିଲ୍ଲାର ଭୋଭୁଆ ରୋଡ୍ ଷ୍ଟେସନରେ ବଡ ସଂଖ୍ୟାରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିଛନ୍ତି। ଆରପିଏଫ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି ଘଟଣାରେ ରେଳ ଯାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ରେଳ କର୍ମଚାରୀଙ୍କ ମହଲରେ ବି ଭୟର ମାହୋଲ ଖେଳି ଯାଇଛି। ସିଓ୍ଵାନାରେ ଟ୍ରାକରେ ନିଆଁ ଜାଳି ଟ୍ରେନ ସେବା ବନ୍ଦ ରଖିଛନ୍ତି ବିକ୍ଷୋଭକାରୀ। ବକ୍ସରରେ ଲଗାତାର ଦ୍ଵିତୀୟ ଦିନରେ ଆଶାୟୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ସମୟରେ ଡୁମରାଓଁ ରେଲଓ୍ଵେ ଷ୍ଟେସନରେ ଟ୍ରେନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।

ଏହିପରି ନଓ୍ଵାଦା ରେଲଓ୍ଵେ ଷ୍ଟେସନରେ ସେନାରେ ନିଯୁକ୍ତି ଆଶାୟୀ ସଡକକୁ ଓହ୍ଲାଇ ଜଳାପୋଡା କରିଛନ୍ତି। ପୁଣି ରେଲଓ୍ଵେ ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି। ଫଳରେ ଗୟା-ହାଓ୍ଵଡା ରୁଟ୍ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବିହାରର ଅନ୍ୟ ଜିଲ୍ଲାରେ ମଧ୍ୟ ହିଂସକ ପ୍ରଦର୍ଶନ କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ବକ୍ସରରେ ଲଗାତାର ଦ୍ଵିତୀୟ ଦିନ ଛାତ୍ରଙ୍କ ବିକ୍ଷୋଭ ଜାରି ରହିଛି। ଆରପିଏଫ ମଙ୍ଗଳବାର ରେଲଓ୍ଵେ ଷ୍ଟେସନରେ ଘଟିଥିବା ହିଂସାକାଣ୍ଡକୁ ନେଇ ୫୦ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଅଭିଯୁକ୍ତଙ୍କ ଚିହ୍ନଟ ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Get real time updates directly on you device, subscribe now.