ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖରୁ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ ସହିତ ଶକ୍ତିଶାଳୀ ବୋଲିଂ ୟୁନିଟ ଭାରତକୁ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚରେ ବିଜୟୀ କରାଇଛି । ଏହାପରେ ଷ୍ଟାର ବ୍ୟାଯର ବିରାଟ କୋହଲି ମଧ୍ୟ ନେଦରଲାଣ୍ଡ ବିପକ୍ଷରେ ନିଜ ବୋଲିଂର ଜଲୱା ଦେଖାଇଛନ୍ତି । ନେଦରଲାଣ୍ଡର ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ୱିକେଟ ହାସଲ କରିଛନ୍ତି ବିରାଟ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ସେମି ଫାଇନାଲରେ ବିରାଟ ନୂଆ ବଲରେ ବୋଲିଂ କରିବା ନେଇ ପ୍ଲାନ କରୁଛି ଟିମ୍ ମ୍ୟାନେଜମେଣ୍ଟ ।
ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ପୂର୍ବରୁ ବିସିସିଆଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି । ଏହି ଭିଡିଓରେ ଭାରତର ବୋଲିଂ କୋଚ୍ ପାରସ ମହାମ୍ବ୍ରେ ବୋଲିଂ ବିକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିନାୟକ ରୋହିତଙ୍କ ସହ ବିରାଟଙ୍କ ବୋଲିଂ ବିଷୟରେ ଆଲୋଚନା ହୋଇଛି । ତେବେ ବିରାଟଙ୍କ ପାଖରେ ନୂଆ ବଲରେ ମଧ୍ୟ ସ୍ୱିଙ୍ଗ କରିବାର କ୍ଷମତା ରହିଛି । ତେବେ ଦେଖାଗଲେ ପ୍ରଥମ ୧୦ ଓଭର ପାୱାରପ୍ଲେରେ ମଧ୍ୟ ବିରାଟ କୋହଲି ବୋଲିଂ କରିପାରନ୍ତି । କୋହଲି ଅନେକ ପ୍ରକାରର ବୋଲିଂ କରିବାରେ ସକ୍ଷମ ବୋଲିଂ କହିଛନ୍ତି ପାରସ ମେହାମ୍ବ୍ରେ । ତେବେ ମିଡିଲ ଓଭର୍ସରେ ବୋଲିଂ କରିବା କଷ୍ଟକର ହେଉଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ସେ ନିଜକୁ ପ୍ରମାଣ କରିଛନ୍ତି । ଏହାବ୍ୟତୀତ ଶେଷ ଓଭରରେ ମଧ୍ୟ ବିରାଟଙ୍କୁ ବୋଲିଂ କରିୀବାର ସୁଯୋଗ ମିଳିପାରେ ।
ବର୍ତ୍ତମାନ ଷ୍ଟାର ବୋଲର ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀଙ୍କ ସହ ମହମ୍ମଦ ସିରାଜ ଟିମ ଇଣ୍ଡିଆର ବୋଲିଂ ୟୁନିଟକୁ ମଜବୁତ କରିଥିବା ବେଳେ ଜାଡେଜା ଏବଂ କୁଳଦୀପ ସପିନ ବିଭାଗରେ ଭାରତକୁ ସଫଳତା ଦେଇଛନ୍ତି । ଏହାପରେ ମଧ୍ୟ ଭାରତୀୟ ଦଳରେ ଗୋଟିଏ ବଡ଼ ସମସ୍ୟା ଲାଗି ରହିଛି । ଦଳରେ ଏପର୍ଯ୍ୟନ୍ତ କୌଣସି ଷଷ୍ଠ ବୋଲିଂ ବିକଳ୍ପ ଉପଲବ୍ଧ ନାହିଁ । ତେଣୁ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଟିମ ମ୍ୟାନେଜମେଣ୍ଟ ଷଷ୍ଠ ବିକଳ୍ପ ଭାବରେ ଦାୟିତ୍ୱ ଦେଇଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କୁ ରୋହିତ କେଉଁ ସମୟରେ ବୋଲିଂ ପାଇଁ ସୁଯୋଗ ଦେବେ ତାହାକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ । ବିରାଟ ଡାହାଣ ହାତୀ ବ୍ୟାଟ୍ସମ୍ୟାନଙ୍କୁ ୟର୍କର ମଧ୍ୟ ପକାଇବାରେ ସକ୍ଷମ ହୋଇପାରନ୍ତି ବୋଲି ଆଶା ରଖିଛନ୍ତି ବୋଲିଂ କୋଚ୍ ପାରସ ମେହାମ୍ବ୍ରେ ।