Waqf Boardକୁ ଭଙ୍ଗ କଲେ ଆନ୍ଧ୍ର ସରକାର: YSR କଂଗ୍ରେସ ଅମଳରେ ହୋଇଥିଲା ଗଠନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ ପୂର୍ବ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅର୍ଡରକୁ ବର୍ତ୍ତମାନର ଟିଡିପି ସରକାର ପ୍ରତ୍ୟାହାର କରିନେଇଛନ୍ତି । ଖୁବଶୀଘ୍ର ଏକ ନୂଆ ବୋର୍ଡ ଗଠନ ହେବ ବୋଲି କୁହାଯାଇଛି । ୱାକଫ (ସଂଶୋଧନ), ବିଲ୍, ୨୦୨୪କୁ ବିରୋଧ କରି ମୁସଲିମ୍ ଆଉଟଫିଟ୍ ଓ ବିରୋଧୀ ଦଳଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଗତ ୨୦୨୩ ମସିହା ମାର୍ଚ୍ଚ ମାସରେ ୱାଇଏସଆର କଂଗ୍ରେସ ଅମଳରେ ୱାକଫ ବୋର୍ଡ ଗଠନ କରାଯାଇଥିଲା । ତେବେ ସୁନ୍ନି ଓ ଶିଆ ସମ୍ପ୍ରଦାୟ ଏବଂ ପୂର୍ବତନ ପାର୍ଲିଆମେଣ୍ଟାରିଆନଙ୍କ ମଧ୍ୟରୁ କୌଣସି ସ୍କଲାର ପ୍ରତିନିଧିତ୍ୱ କରିନଥିଲେ । ଗତବର୍ଷ ଠାରୁ ଏହି ବୋର୍ଡ ଗଠନ ହୋଇଥିଲେ ମଧ୍ୟ ତାହା କୌଣସି କାର୍ଯ୍ୟ କରିନଥିଲା । ବୋର୍ଡର କାର୍ଯ୍ୟରେ ଏକପ୍ରକାର ସ୍ଥିରତା ଦେଖିବାକୁ ମିଳିଥିଲା ବୋଲି ଟିଡିପି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅର୍ଡରରେ କୁହାଯାଇଛି । ପୂର୍ବ ସରକାର ଅମଳରେ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ଜିଓ-୪୭କୁ ରଦ୍ଦ କରାଯିବା ସହ ଜିଓ-୭୫ ଜାରି କରିଛନ୍ତି ବର୍ତ୍ତମାନର ସରକାର ।

ପୂର୍ବ ସରକାର ଅମଳରେ ଗଠନ ହୋଇଥିବା ବୋର୍ଡକୁ କାହିଁକି ଭଙ୍ଗ କରାଗଲା ତା’ର କାରଣ ଉଲ୍ଲେଖ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ ସରକାର । ବିଭିନ୍ନ ଅଦାଲତୀ ମାମଲା କାରଣରୁ ଅଧ୍ୟକ୍ଷ ନିର୍ବାଚନ ହୋଇନଥିଲା । ୨୦୨୩ ମାର୍ଚ୍ଚ ମାସ ଠାରୁ ବୋର୍ଡ ନିଷ୍କ୍ରିୟ ରହିବା ସହ କୌଣସି କାର୍ଯ୍ୟ କରାଯାଇ ନଥିଲା । ବୋର୍ଡରେ ପୂର୍ବ ସାଂସଦଙ୍କୁ ସାମିଲ କରାଯାଇ ନଥିଲା । ସୁନ୍ନି ଓ ଶିଆ ସମୁଦାୟର ସ୍କଲାର୍ସଙ୍କର କୌଣସି ପ୍ରତିନିଧିତ୍ୱ ନଥିଲା । ବାର କାଉନସିଲ ଶ୍ରେଣୀରୁ, ଜୁନିୟର ଅଧିବକ୍ତାଙ୍କୁ ବିନା ଉଚିତ ମାନଦଣ୍ଡରେ ଚୟନ କରାଯାଇଥିଲା । ଫଳରେ ମାମଲା ଦାୟର କରିଥିବା ବରିଷ୍ଠ ଅଧିକାରୀଙ୍କ ହିତରେ ବାଧା ସୃଷ୍ଟି ହୋଇଥିଲା । ଏସ.କେ ଖାଜାଙ୍କୁ ବୋର୍ଡର ସଦସ୍ୟ ଭାବେ ଚୟନ କରିବା ବିରୋଧରେ ଅଭିଯୋଗ ମିଳିଥିଲା । ବିଶେଷ କରି ‘ମୁତବଲ୍ଲୀ’ (ଯେଉଁ ବ୍ୟକ୍ତି ୱାକଫ ପରିଚାଳନା କରିବା ସହ ପ୍ରଶାସନ କାର୍ଯ୍ୟ ସମ୍ଭାଳିଥାନ୍ତି)ଙ୍କ ଯୋଗ୍ୟତାକୁ ନେଇ ଅଭିଯୋଗ ଆସିଥିଲା । ୱାକଫ ସମ୍ପତ୍ତିର ପରିଚାଳନା ଓ ସୁଧାର ପାଇଁ ୱାକଫ ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଛି ଓ ଏବେ ବଜେଟ ଅଧିବେସନ ୨୦୨୫ରେ ତାହାକୁ ଆଗତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।