ଭୁବନେଶ୍ୱର: ଏଥର ଓଡି଼ଶାକୁ ଶିଘ୍ର ଆସିବ ମୌମୁମୀ। ଜୁନ୍ ୧ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ସ୍ବାଭାବିକ୍ ଭାବେ କେରଳ ଛୁଇଁଥାଏ। କିନ୍ତୁ ଏଥର ମେ ୨୭ ତାରିଖ ବେଳକୁ ମୌମୁମୀ କେରଳରେ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଆଇଏମଡି଼ ପୂର୍ବାନୁମାନ କରି କହିଛି ଯେ, ୨୭ ତାରିଖ ବେଳକୁ ମୌମୁମୀ କେରଳ ଛୁଇଁବ। ମଡେଲ୍ ଅନୁସାରେ,୪ ଦିନ ଆଗୁଆ ବା ୪ ଦିନ ପରେ କେରଳ ଛୁଇଁବ। ସ୍ବାଭାବିକ୍ ଭାବେ ପ୍ରତିବର୍ଷ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଏଥର ଶିଘ୍ର ଆସିବ।
ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ, ମୌମୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡି଼ଶା ଛୁଇଁଥାଏ। ୨୭ ତାରିଖରେ,କେରଳ ଛୁଇଁଲେ ଏହା ଓଡି଼ଶାରେ ୬ ବା ୭ ତାରିଖ ସୁଦ୍ଧା ପହଞ୍ଚିବ। ୪ ଦିନ ଆଗୁଆ ବା ବିଳମ୍ବରେ ପହଞ୍ଚିଲେ ବି ଏହାକୁ ସ୍ବାଭାବିକ୍ ଧରାଯିବ।
ତେବେ, ଆଜି ବିଶେଷକରି, ସମ୍ବଲପୁର, ଝାରସୁଗୁଡା,ବଲାଙ୍ଗୀର୍ ,ବୌଦ୍ଧ, ସୁନ୍ଦରଗଡରେ ଗ୍ରୀଷ୍ମ ଲହରୀ ବହିପାରେ। ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ,ଗଜପତି ଓ ମୟୂରଭଂଜରେ ପ୍ରବଳ ତାତି ଅନୁଭୂତ ହେବ ।
ହେଲେ, ମାଲକାନଗିରି,କୋରାପୁଟ୍, ରାୟଗଡା,ଗଂଜାମ, ଗଜପତି, ନବରଙ୍ଗପୁରରେ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେହିପରି, ଆସନ୍ତାକାଲି ମୟୂରଭଂଜ, କେନ୍ଦୁଝର,ସୁନ୍ଦରଗଡ, ମାଲକାନଗିରି, କୋରାପୁଟ୍, ରାୟଗଡା, ଗଂଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡି଼ ସହ ବର୍ଷା ଆଶଙ୍କା ରହିଛି। କିଛି ସ୍ଥାନରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ପଶ୍ଚିମ ଓଡ଼ିଶାର ଏକାଧିକ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ। ଉପକୂଳ , ଦକ୍ଷିଣ ଓ ଉତ୍ତର ଓଡି଼ଶାରେ ଗରମ ନାକେଦମ୍ କରିବ।
୧୩ ରୁ ୧୫ ଯାଏ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିବ। ୧୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି। ୧୫ ଓ ୧୬ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି।