fbpx

ଟିମ୍ ଇଣ୍ଡିଆକୁ ଝଟକା: ଟି-୨୦ ସିରିଜ୍ ପୂର୍ବରୁ ଆହତ କାରଣରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର

କୋଲକାତା : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା। ଆହତ ଜନିତ ସମସ୍ୟା କାରଣରୁ ପୂରା ସିରିଜ୍ରୁ ବାଦ୍ ପଡିଲେ ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର। ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ମ୍ୟାଚ୍ କୋଲକାତା ଇଡେନ ଗାର୍ଡେନରେ ଫେବୃଆରୀ ୧୬ରେ ଖେଳାଯିବ। ଉଲ୍ଲେଖନୀୟ ଭାରତୀୟ ଦଳ ଦିନିକିଆ ସିରିଜ୍ରେ ଓ୍ଵେଷ୍ଟଇଣ୍ଡିଜକୁ ୩-୦ରେ ହରାଇଥିଲା।
ତାମିଲନାଡୁ କ୍ରିକେଟ୍ ଆସୋସିଏନ(ଟିଏନସିଏ)ର ଅଧିକାରୀଙ୍କ ଅନୁଯାୟୀ, ସୁନ୍ଦରଙ୍କୁ ହାମଷ୍ଟ୍ରିଙ୍ଗର ଆଘାତ ଲାଗିଛି। ମଙ୍ଗଳବାର ତାଙ୍କୁ ଏନସିଏରେ ରିପୋର୍ଟ କରିବାକୁ ପଡିବ। ଏହା ପରେ ସୁନ୍ଦରଙ୍କୁ ଏନସିଏରେ ତିନି ସପ୍ତାହ ରିହାବିଲିଟେସନରେ ରହିବାକୁ ପଡିବ। ସୁସ୍ଥ ହେବା ପରେ ଏବଂ ଫିଟନେସ୍ ହାସଲ ପରେ ଦଳକୁ ଫେରିବେ।

ଓ୍ଵାଶିଂଟନ ସୁନ୍ଦରଙ୍କୁ ମିଶାଇ ଟିମ୍ ଇଣ୍ଡିଆର ତିନି ଜଣ ଖେଳାଳି ଟି-୨୦ ସିରିଜ୍ରୁ ବାଦ୍ ପଡିଛନ୍ତି। ଉପ ଅଧିନାୟକ କେଏଲ ରାହୁଲ ଏବଂ ଅକ୍ଷର ପଟେଲ୍ ସିରିଜ୍ରୁ ବାଦ୍ ପଡି ସାରିଛନ୍ତି। ରାହୁଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ମାଂସପେଶୀରେ ଆଘାତ ଲାଗିବା କାରଣରୁଟି-୨୦ ସିରିଜ୍ରୁ ଓହରି ଯାଇଛନ୍ତି। ଅନ୍ୟପଟେ ଅକ୍ଷର ପଟେଲ୍ କରୋନା ଭାଇରସ୍ରୁ ସୁସ୍ଥ ହେବା ପରେ ଏନସିଏରେ ରିହାବିଲିଟେସନର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏହି କାରଣରୁ ସେ ମଧ୍ୟ ଟି-୨୦ ସିରିଜ୍ରୁ ବାଦ୍ ପଡିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକଓ୍ଵାଡ ଏବଂ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ୍ କରାଯାଇଥିବା ବିସିସିଆଇ ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ।

Get real time updates directly on you device, subscribe now.