ମୋଦୀଙ୍କ କଡ଼ା ଚେତାବନୀ: ପାଣି-ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୧୨ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏଥର ଆତଙ୍କବାଦୀଙ୍କ ସହିତ ସେମାନଙ୍କ ମାଲିକମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ସେମାନଙ୍କୁ ଧୂଳିସାତ୍ କରାଯିବ । ପ୍ରଧାନମନ୍ତ୍ରୀ ଦେଇଥିବା କଥା ଆଜି ରଖିଛନ୍ତି । ଭାରତର କଡ଼ା ଜବାବରେ ପାକିସ୍ତାନ ମାଟି କାମୁଡ଼ି ପଡ଼ିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବିଶ୍ୱ ଦେଖିଲା ଯେ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର କିପରି ଭାରତ ସମ୍ମୁଖରେ କୁଟା ପରି ବିଛାଡ଼ି ଯାଇଥିଲା। ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେମାନଙ୍କୁ ଆକାଶରେ ହିଁ ଧ୍ୱଂସ କରିଥିଲା। ପାକିସ୍ତାନ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲା, କିନ୍ତୁ ଭାରତ ପାକିସ୍ତାନର ଛାତିରେ ଯୁଦ୍ଧ କରିଥିଲା।’

ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ

ସିନ୍ଧୁ ଜଳ ଚୁକ୍ତି ସମେତ ଭାରତ ଦ୍ୱାରା ନିଆଯାଇଥିବା ସମସ୍ତ କୂଟନୈତିକ ଆକ୍ରମଣ ଉପରେ ପ୍ରଧାନମନ୍ତ୍ରୀ ଭାରତର ମତ ସ୍ପଷ୍ଟ କରିଥିଲେ ଏବଂ କହିଥିଲେ ଯେ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଯଦି ପାକିସ୍ତାନ ଭାରତ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛି, ତେବେ ସର୍ବପ୍ରଥମେ ଏହାକୁ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦକୁ ସମାପ୍ତ କରିବା ଉଚିତ।

ଆଲୋଚନା କେବଳ ଆତଙ୍କବାଦ ଏବଂ ପିଓକେ ଉପରେ ହେବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସେ ସମଗ୍ର ବିଶ୍ୱକୁ ଏହା ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯଦି ପାକିସ୍ତାନ ସହିତ କୌଣସି କଥାବାର୍ତ୍ତା ହେବ, ତେବେ ତାହା ଆତଙ୍କବାଦ ଉପରେ ହେବ। ଏହା ବ୍ୟତୀତ ପିଓକେ ଉପରେ ଆଲୋଚନା କରାଯିବ। ଏହି ଦୁଇଟି ଆଲୋଚନା ପରେ ହିଁ ଅନ୍ୟ କୌଣସି ଆଲୋଚନା ହୋଇପାରିବ।