ହୀରାକୁଦର ବଢୁଛି ଜଳସ୍ତର: ବନ୍ୟାଜଳ ନିଷ୍କାସନ ପାଇଁ ପୁଣି ୫ଟି ଗୋଟ୍ ଖୋଲିଲା

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବନ୍ୟା ହୋଇଥିବା ବେଳେ କିଛି ସ୍ଥାନରେ ବର୍ଷା ପାଣି ହିଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ଏହି ଭୟକୁ ଆହୁରି ବଢାଇ ଦେଇଛି ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ସଂରକ୍ଷଣ । ଡ୍ୟାମରେ ବନ୍ୟା ଜଳସ୍ତର ବୃଦ୍ଧି ପାଇବାରୁ ପୁଣି ୫ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ମୋଟ ୧୨ଟି ଗେଟରେ ଜଳ ନିଷ୍କାସନ ହେଉଛି ।

ସୂଚନା ଅନୁସାରେ, ହୀରାକୁଦ ଜଳ ଭଣ୍ଡାରରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏହାପରେ ଜଳସ୍ତରରେ ନିୟନ୍ତ୍ରଣ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଆଉ ୫ଟି ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ୫ଟି ଗେଟ୍ ଖୋଲାଯାଇଛି । ତେବେ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।