fbpx

ହୃଦରୋଗ ଆଶଙ୍କାକୁ ହ୍ରାସ କରେ ତରଭୁଜ

ଧରାପୃଷ୍ଠରେ ଏବେ ଚାଲିଛି ଗ୍ରୀଷ୍ମର ରାଜତ୍ୱ । ଚାରିଆଡେ ଅଗ୍ନିବର୍ଷା । ତାପମାତ୍ରା ହୁହୁ ହୋଇ ବଢୁଛି । ଯେଉଁଆଡେ ଚାହିଁଲେ ଧୁଧୁ ଖରା । ଦ୍ୱିପ୍ରହରରେ ପୁଣି ଉତ୍ତପ୍ତ ପବନର ଝାସ । ଦେହରୁ ବହି ଯାଉଛି ଗମ୍ ଗମ୍ ଝାଳ । ଖରାକୁ ନେଇ ସବୁଠି ଆତଙ୍କ । ଏହି ତାପରୁ ଟିକିଏ ରକ୍ଷା ପାଇବା ପାଇଁ ମନ ଖୋଜେ ଟିକେ ଶୀତଳ ପରଶ । ପ୍ରକୃତି ବି ଆମ ପାଇଁ ଭରି ଦେଇଛି ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଫଳ । ଏହି ସ୍ୱତନ୍ତ୍ର ଫଳଗୁଡିକରେ ଭରି ରହିଥାଏ ଭିନ୍ନ ସ୍ୱାଦ ଓ ଭିନ୍ନ ମହକ । ଖରା ଆସିଲେ ଯେଉଁ ଫଳ ପିଲା ଠାରୁ ବୁଢା, ଗରିବ ଠାରୁ ଧନୀ ସମସ୍ତଙ୍କର ପ୍ରିୟ ହୋଇଥାଏ, ସେ ହେଉଛି ତରଭୁଜ । ତରଭୁଜ ଦେଖିବାକୁ ଯେମିତି ଆକର୍ଷଣୀୟ ଖାଇବାକୁ ସେମିତି ନରମ । ତେଣୁ ସବୁ ବର୍ଗର ଲୋକେ ଏହାକୁ ପସନ୍ଦ କରିଥାନ୍ତି ।

କ୍ଷୁଧା-ତୃଷା ଉଭୟ ନିବାରଣ କରିଥାଏ ତରଭୁଜ । କେତେକ ବି ତରଭୁଜକୁ ଖରାବେଳିଆ ସାଥି କହନ୍ତି । ତାପ ବଢିଲେ ଏହି ଖରାଦିନିଆ ସାଥୀଟିକୁ ଖୋଜା ପଡେ । ଗାଁଠାରୁ ଆରମ୍ଭ କରି ସହରର ରାସ୍ତା ପାଶ୍ୱର୍ରେ ଫଳ ବ୍ୟବସାୟୀ ମେଲାଇ ଦିଅନ୍ତି ତରଭୁଜର ପସରା । ତରଭୁଜ ଯେ କେବଳ ଶରୀରକୁ ସତେଜ ରଖେ ତାହା ନୁହେଁ ବରଂ ଶରୀରରୁ ଜଳୀୟ ଅଂଶ କମ୍ ହେବାକୁ ଦିଏ ନାହିଁ । କଞ୍ଚାବେଳେ ଏହାକୁ ତରକାରୀ ଭାବରେ ଖିଆଯାଏ । ଖରାଦିନେ ଶରୀରରୁ ଯେଭଳି ଝାଳ ବାହାରେ ତଦ୍ୱାରା ଦେହରୁ ଜଳୀୟ ଅଂଶ କମି ହାଲିଆ ଲାଗେ । ତେବେ ଏହି ସମୟରେ ତରଭୁଜ ଖାଇବା ଦ୍ୱାରା ଶରୀରରୁ ନିର୍ଗତ ହୋଇ ଯାଇଥିବା ଜଳୀୟ ଅଂଶ ବଜାୟ ରହେ ।

ଜଳୀୟ ଅଂଶଯୁକ୍ତ ଖାଦ୍ୟ ମଧ୍ୟରେ ତରଭୁଜ ଅନ୍ୟତମ । ତରଭୁଜରେ ୯୨ ଶତକଡା ଜଳ ରହିଥାଏ । ଏହା ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ସହିତ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଅତ୍ୟଧିକ ଗରମ ଯୋଗୁଁ ମନୁଷ୍ୟ ଶରୀରରୁ ଆବଶ୍ୟକତା ଠାରୁ ଅଧିକ ଝାଳ ବାହାରିଯାଏ, ଯଦ୍ୱାରା ଶରୀର ଅସନ୍ତୁଳିତ ହୋଇଥାଏ । ଖରାଦିନେ ଦୁଇରୁ ତିନି ଗ୍ଲାସ୍ ତରଭୁଜ ସର୍ବତ ପିଇବା ଦ୍ୱାରା ଶରୀରରେ ଠିକ୍ ଭାବରେ ଅସନ୍ତୁଳନତା ଦୂର ହୁଏ ।

ତରଭୁଜରେ ଶ୍ୱେତସାର, ତନ୍ତୁ, ଜଳୀୟ ଅଂଶ, ଭିଟାମିନ-ଏ, ଆମିନୋ ଏସିଡ ପ୍ରଚୁର ପରିମାଣରେ ଥାଏ । ତରଭୁଜରେ ଚର୍ବିଜାତୀୟ ଉପାଦାନ ନଥିବାରୁ ଶରୀରର ଓଜନ କମାଇବାରେ ଏହା ସହାୟକ ହୋଇଥାଏ । ତରଭୁଜରେ ବିଟା କପାରୋଟିକ୍ ଥିବାରୁ ଏହା ହୃଦ୍ରୋଗ ଆଶଙ୍କାକୁ ହ୍ରାସ କରିଥାଏ । ଶରୀରରେ ଠିକ୍ ଭାବରେ ରକ୍ତ ପ୍ରବାହ କରିବାରେ ତରଭୁଜ ସାହାଯ୍ୟ କରେ । ପ୍ରତିଦିନ ତରଭୁଜ ଖାଇଲେ ଶରୀରକୁ ପ୍ରାୟ ୨୩ ପ୍ରତିଶତ ଶକ୍ତି ମିଳେ ।

Get real time updates directly on you device, subscribe now.