fbpx

ପ୍ରଧାନମନ୍ତ୍ରୀଙ୍କ ମିଟିଂ ପ୍ରତ୍ୟାଖ୍ୟାନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିଲେ ସଂକେତ

କୋଲକାତା: ପଶ୍ଚିମବଙ୍ଗକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ଗତ କିଛିଦିନ ଧରି ଗୋଟିଏ ଚର୍ଚ୍ଚା ମଧ୍ୟ ଥମୁନାହିଁ । ବାତ୍ୟା ୟଶ୍ ସମ୍ପର୍କିତ କ୍ଷୟକ୍ଷତିର ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ଆସିବା ଓ ହଠାତ୍ ଚାଲିଯିବା ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ମମତାଙ୍କୁ ପୁଣି ଅଡୁଆ ଭିତରେ ଛନ୍ଦି ଦେଇଛି । ରାଜ୍ୟପାଳ ଶ୍ରୀ ଧନଖଡ଼ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ପ୍ରତ୍ୟାଖ୍ୟାନ କରିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ସଂକେତ ଦେଇସାରିଥିଲେ । ତେଣୁ ପରେ ସେ କଥାକୁ ଘୋଡ଼ାଇବା ପାଇଁ ଯାହା କହୁଛନ୍ତି ତାହା ପୂରା ମିଛ । ଏଭଳି ମର୍ମରେ ରାଜ୍ୟପାଳଙ୍କ ମତ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପୁଣି ସାଧାରଣରେ ଉଠିଛି ପ୍ରଶ୍ନ ।

ଟ୍ୱିଟ୍ କରି ଗଭର୍ଣ୍ଣର୍ ଶ୍ର ଧନଖଡ଼ ଉଲ୍ଲେଖ କରିଛନ୍ତି ଯେ ଶୁକ୍ରବାର ହେବାକୁ ଥିବା ମିଟିଂ ପାଇଁ ଦିନକ ପୂର୍ବରୁ ମେସେଜ୍ କରିଥିଲେ । ଯଦି ଶୁଭେନ୍ଦୁ ଅଧିକାରୀଙ୍କୁ ମିଟିଂ ପାଇଁ ନିମନ୍ତ୍ରଣ କରାଯିବ ତେବେ ସେ ବୟକଟ୍ କରିପାରନ୍ତି ବୋଲି ସଂକେତ ଦେଇଥିଲେ । ତେଣୁ ମମତାଙ୍କ ମିଛ ମତ ପ୍ରକାଶରେ ଧୈର୍ଯ୍ୟଚ୍ୟୁତ ଘଟିବାରୁ ବାଧ୍ୟହୋଇ ସତ ଉଲ୍ଲେଖ କରୁଛି ବୋଲି ରାଜ୍ୟପାଳ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ୨୭ ମେ ରାତି ୧୧ଟା ୧୫ରେ ମମତା ବାନାର୍ଜୀ ତାଙ୍କୁ ମେସେଜ୍ କରି କଥା ହୋଇପାରିବେ କି ବୋଲି ପଚାରିଥିଲେ । ଏଥିସହ ଜରୁରୀ ଅଛି ବୋଲି କହିଥିଲେ । ଏହା ପରେ ସେ ଫୋନ୍ ଜରିଆରେ ସଂକେତ ଦେଲେ ଯେ ସେ ଓ ତାଙ୍କ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବୟକଟ୍ କରିପାରନ୍ତି । ଯଦି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମିଟିଂକୁ ଡକାଗଲେ ସେ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ପ୍ରାକ୍ ସୂଚନା ଦେଇଥିଲେ ବୋଲି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଟିଂ ସ୍ଥଳରେ ଅପେକ୍ଷା କରାଇଥିଲେ ମମତା ଓ ରାଜ୍ୟର ମୁଖ୍ୟ ସଚିବ । ୩୦ ମିନିଟ୍ ବିଳମ୍ବରେ ପହଞ୍ôଚବା ପରେ ମମତା ପୁଣି ଅଳ୍ପ ସମୟ ମଧ୍ୟରେ ବୈଠକ ଛାଡ଼ି ଚାଲିଯାଇଥିଲେ । ଏସବୁ ଆଚରଣକୁ ନେଇ ବିଜେପି ଅଭିଯୋଗ ଉଠାଇଥିଲା । ଏହା ବିଧି-ବ୍ୟବସ୍ଥାର ବିରୋଧ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଥିଲା । ଏପରିକି ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ସେଥିରେ ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯିବା ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଦେଖନ୍ତୁ ରାଜ୍ୟପାଳଙ୍କ ଟ୍ୱିଟ୍:

Get real time updates directly on you device, subscribe now.