fbpx

ଦୁର୍ବଳ ହେଉଛି ଘୂର୍ଣ୍ଣିବଳୟ: ୨ ଦିନ ପରେ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିଲେ ମଧ୍ୟ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ଅର୍ଥାତ୍ ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ୨୭ ତାରିଖରୁ ପାଗରେ ପରିବର୍ତ୍ତନ ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ସୋମବାର ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଦେଖାଦେଇଛି ।

ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ,ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସେହିଭଳି ମାଲକାନାଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ମଙ୍ଗଳବାର ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୭ ତାରିଖରୁ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି ।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବର୍ଷା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ଭଲ ବର୍ଷା ହେଇଥିବା ନେଇ ରେକର୍ଡ କରାଯାଇଛି । ଛତ୍ରପୁରରେ ୯୧.୬ ମି.ମି., ଟିଟିଲାଗଡ଼ରେ ୬୩.୨ ମି.ମି., ଭବାନୀପାଟଣାରେ ୫୦.୬ ମି.ମି., ତାଳଚେରରେ ୩୫ ମି.ମି., ବାରିପଦାରେ ୨୪ ମି.ମି., ପୁରୀରେ ୨୩.୭ ମି.ମି., ଭଦ୍ରକରେ ୨୨.୪ ମି.ମି., ସୁନ୍ଦରଗଡ଼ରେ ୨୧.୩ ମି.ମି., କେନ୍ଦୁଝରରେ ୨୧.୧ ମି.ମି., ଦେବଗଡ଼ରେ ୨୯.୪ ମି.ମି. ବର୍ଷା ହୋଇଛି । ସେହିପରି ଶନିବାର ଯାଜପୁରରେ ୪୧ ମି.ମି., ସୋନପୁରରେ ୪୫ ମି.ମି., ବାଲେଶ୍ୱରରେ ୨୨ ମି.ମି., କଟକରେ ୧୧ ମି.ମି. ଓ ଭୁବନେଶ୍ୱରରେ ୨.୫ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.