fbpx

ଭାରତରେ ପାଣିପାଗର ଏପରି ଅବସ୍ଥା: କିଛି ରାଜ୍ୟରେ ଗରମର ତାଣ୍ଡବ, କିଛି ରାଜ୍ୟରେ ବନ୍ୟାର ପ୍ରକୋପ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ସେହିପରି ଦେବଭୂମି ଉତ୍ତରାଖଣ୍ଡରେ ଭୂସ୍ଖଳନ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ କହିବାକୁ ଗଲେ ସମଗ୍ର ଭାରତବର୍ଷରେ ପାଣିପାଗର ଖେଳ ଦେଖିବାକୁ ମିଳିଛି ।

କେରଳ ଓ ଅସମରେ ବନ୍ୟା କାରଣରୁ ଜନଜୀବନ ବେହାଲ ହୋଇପଡ଼ିଛି । ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ଫସି ରହିଛନ୍ତି । ପାଣିପାଗ ବିଭାଗ ମୁତାବକ, ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ବର୍ଷାର ପ୍ରକୋପ କମିବ ନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ମାଡ଼ିଯାଇଛି । ଆସନ୍ତା ଦୁଇଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ପଶ୍ଚିମବଙ୍ଗର ଦକ୍ଷିଣ ଅଞ୍ଚଳର କିଛି ଭାଗରେ ପହଞ୍ଚିଯିବ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁତାବକ, ଦେଶର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବର୍ଷାର ଗତିବିଧି ଜାରି ରହିବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କେରଳ, କର୍ଣ୍ଣାଟକ, ଅସମ, ମେଘାଳୟ, ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ । ଆସନ୍ତା ୧୯ ତାରିଖରେ ଉତ୍ତର-ପଶ୍ଚିମ ଓ ମଧ୍ୟ-ଭାରତରେ ଗରମ ବୃଦ୍ଧି ପାଇବ ଓ ହିଟୱେଭର ସ୍ଥିତି ରହିବାର ସମ୍ଭାବନା ରହିଛି ।

ଅସମରେ ମୁସଳଧାରାରେ ବର୍ଷା ଓ ବନ୍ୟା ଫଳରେ ୨୦ଟି ଜିଲ୍ଲାରେ ପାଖାପାଖି ଦୁଇ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି । ରାଜ୍ୟର କଛାର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟର ୨୦୦ରୁ ଅଧିକ ଗ୍ରାମ ପାଣିରେ ବୁଡ଼ି ରହିଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଉତ୍ତରାଖଣ୍ଡରେ ପାଣିପାଗ ସ୍ଥିତି ବିଗିଡ଼ିଯିବା ଫଳରେ ପ୍ରବଳ ବର୍ଷା ହୋଇ ଲ୍ୟାଣ୍ଡସ୍ଲାଇଡ୍ ଘଟଣା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.