fbpx

ଓଡ଼ିଶାରେ ପ୍ରଥମ: ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ସହ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ତିନି ଦଳ ନିଜ ନିଜର ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଦଖଲ କରିବା ପ୍ରୟାସରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସମ୍ନାକୁ ଆସିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥମାନଙ୍କରେ ସିଧାସଳଖ ୱେବକାଷ୍ଟିଂ କରାଯିବ । ଜିଲ୍ଲାରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିଥିବା ବେଳେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି ।

ତେବେ ବୁଥରେ ୱେବକାଷ୍ଟିଂ କରାଯିବା ଫଳରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହାକୁ ଦେଖି ପାରିବେ । ଦୁଇ ଦଳ ବିଜେଡି ଓ ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ଚାଲିଛି । ନିର୍ବାଚନ କିପରି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା ଚାଲିଥିବା ଶ୍ରୀ ଧଳ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ାରେ ଭୋଟ ହୋଇ ୧୩ରେ ଫଳାଫଳ ଘୋଷଣା କରାଯିବ । ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ନେଇ ପ୍ରତ୍ୟେକ ଦଳର ବରିଷ୍ଠ ନେତାମାନେ ଭୋଟରଙ୍କ ନିକଟରେ ଭୋଟ ଭିକ୍ଷା କରିଛନ୍ତି ।

Get real time updates directly on you device, subscribe now.