ପ୍ରଥମ ଥର ଆମେରିକାରେ ଖେଳାଯିବ ଟି-୨୦ ବିଶ୍ଵ କପ, ୨୦୨୪ ଟୁର୍ଣ୍ଣାମେଣ୍ଟରେ ସାମିଲ୍ ହେବେ ୨୦ ଦଳ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆୟୋଜନ ହେବ ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୪। ଦୁଇ ଦଳ ଆୟୋଜକ ହୋଇଥିବା କାରଣରୁ ବିଶ୍ଵ କପରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୁବାଇରେ ରବିବାର ଆଇସିସିର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଟି-୨୦ ବିଶ୍ଵ କପ୍ ୨୦୨୪ରେ ପ୍ରଥମ ଥର ୨୦ ଦଳ ଅଂଶ ଗ୍ରହଣ କରିବେ। ଆଇସିସି ଏହାର ସୂଚନା ଦେଇଛି। ସବୁଠୁ ବଡ କଥା ଆମେରିକା ଦଳ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଖେଳିବାକୁ ଯାଉଛି।

ଇଏସପିଏନକ୍ରିକଇମ୍ଫୋର ରିପୋର୍ଟ ଅନୁଯାୟୀ, ଓ୍ଵେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ୨୦୨୪ରେ ୨୦ଟି ଦଳରୁ ୧୨ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଏଥିରୁ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପର ଶୀର୍ଷ ୮ ଦଳ ବ୍ୟତୀତ ଓ୍ଵେଷ୍ଟଇଣ୍ଡିଜ ଏବଂ ଆମେରିକା ଆୟୋଜକ ଦେଶ ଭାବେ ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ବାକି ଅନ୍ୟ ଦୁଇଟି ଦଳର ନିଷ୍ପତ୍ତି ନଭେମ୍ବର ୧୪ ପର‌୍ୟ୍ୟନ୍ତ ଟପ୍ ରାଙ୍କିଙ୍ଗରେ ରହୁଥିବା ଦଳ ଆଧାରରେ ନିଆଯିବ।

ଓ୍ଵେଷ୍ଟଇଣ୍ଡିଜ ଦଳ ଯଦି ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପର ଟପ୍-୮ ଦଳ ମଧ୍ୟରେ ରହେ ତେବେ ରାଙ୍କିଙ୍ଗରେ ଟପ୍-୨ ସ୍ଥାନରେ ଟପ୍-୩ ଦଳଗୁଡିକୁ ବିଶ୍ଵ କପରେ ଖେଳିବାକୁ ସୁଯୋଗ ମିଳିବ। ବାକି ଆଠ ଅନ୍ୟ ଦଳର ନିଷ୍ପତ୍ତି ରିଜନାଲ କ୍ଵାଲିଫାୟର୍ସ ଆଧାରରେ କରାଯିବ। ଏସିଆ, ଆଫ୍ରିକା ଏବଂ ୟୁରୋପର ଟପ୍-୨ ଦଳ ବିଶ୍ଵ କପରେ ସିଧାସଳଖ ପ୍ରବେଶ କରିବେ ଏବଂ ଆମେରିକା ଏବଂ ପୂର୍ବ ଏସିଆର ଗୋଟିଏ ଲେଖାଏଁ ଦଳକୁ ଏଥିରେ ଭାଗ ନେବାକୁ ସୁଯୋଗ ମିଳିବ।