fbpx

(Video) ଖରା ହେଲେ ମଲୁ, ବର୍ଷା ହେଲେ ବି ମଲୁ… କେମିତି ବଞ୍ଚିବେ ରାଜଧାନୀ ବାସୀ?

ଓଡ଼ିଶା ଭାସ୍କର: ଅସହ୍ୟ ତାତିରୁ ଏବେ ମୁକ୍ତି ପାଇଛନ୍ତି ଓଡ଼ିଶାବାସୀ । ମୌସୂମୀର ଆଗମନରେ ସୂର୍ଯ୍ୟଙ୍କ ତାପରୁ ବାହାରି ବର୍ଷାର ଶୀତଳ ଛୁଆଁ ପାଇଛି ଏହି ଓଡ଼ିଶା ମାଟି । ବିଶେଷ କରି ଭୁବନେଶ୍ୱରରେ ବଢୁଥିବା ତାପମାତ୍ରାରେ ବ୍ରେକ ଲଗାଇଛି ଦୁଇ ଦିନର ବର୍ଷା । ଅସରାଏ ବର୍ଷାରେ ସାରା ସହରର ତାତି ଏକଦମ ଗାଏବ ହୋଇଯାଇଛି । କିନ୍ତୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଆଉ ଏକ ସମସ୍ୟା । ଅସରାଏ ବର୍ଷାରେ ରାଜଧାନୀର ଅନେକ ସ୍ଥାନରେ ଜଳାର୍ଣ୍ଣବ ହୋଇଛି । ଛକ ଛକରେ ପାଣିର ସୁଅ ଚାଲିଛି । ଭୁବନେଶ୍ୱରର କିଛି ପ୍ରମୁଖ ସ୍ଥାନରେ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି । ତେଣୁ କିଛି ଘଣ୍ଟା ତଳେ ଅସରାଏ ବର୍ଷା ଖୋଜୁଥିବା ଭୁବନେଶ୍ୱର ସେହି ଅସରାଏ ବର୍ଷାରେ ହିଁ ବୁଡ଼ିଯାଇଛି । ଭୁବନେଶ୍ୱରବାସୀଙ୍କୁ କନ୍ଦାଇ ଦେଇଛି ଖରା-ବର୍ଷାର ଏହି ଲୁଚକାଳି ଖେଳ । ଲୋକଙ୍କ ପରିସ୍ଥିତି ଯେମିତି ‘ଏପାଖେ କୁଅ, ସେ ପାଖେ ଖାଇ’ ଆଉ ମଝିରେ ଭୁବନେଶ୍ୱର ।

ଅନେକ ଦିନରୁ ଅସହ୍ୟ ତାତିର ନିର୍ଯାତନା ସହୁଥିବା ଭୁବନେଶ୍ୱର ଟିକିଏ ବର୍ଷା ପାଇଁ ଆଉଟୁପାଉଟୁ ହେଉଥିଲା । ଆଜି ମୌସୂମୀ ଝମାଝମ୍ ବର୍ଷା ସହ ସାରା ସହରରେ ଖୁସି ବାଣ୍ଟି ଦେଇଛି । କିନ୍ତୁ ରାଜଧାନୀବାସୀଙ୍କ ଏହି ଖୁସି ବାସ୍ କେଇ ମୁହୂର୍ତ୍ତ ପାଇଁ ରହିଥିଲା । କାରଣ ଏହି ଅସରାଏ ବର୍ଷା ବନ୍ଦ ହେବା ପୂର୍ବରୁ ବୁଡ଼ି ସାରିଥିଲା ସମ୍ପୂର୍ଣ୍ଣ ସହର । ଭୁବନେଶ୍ୱରର ଗଳି-କନ୍ଦି, ଛକ-ବଜାର ଇତ୍ୟାଦିରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସହରର ପ୍ରମୁଖ ଛକ ଯଥା:- ଇସ୍କନ୍ ମନ୍ଦିର, ରସୁଲଗଡ, ବମିଖାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ରାସ୍ତାଘାଟ ବଷାଁ ପାଣି ବୁଡ଼ି ରହିଛି । ୧ ଘଣ୍ଟାର ଲଗାଣ ବର୍ଷା ଭୁବନେଶ୍ୱରର ଏହି କିଛି ପ୍ରମୁଖ ଛକରେ ବନ୍ୟାସଦୃଶ ସ୍ଥିତି ସୃଷ୍ଟି କରିଛି । ଅନେକ ସ୍ଥାନରେ ଯାତାୟତ ମଧ୍ୟ ବାଧାପ୍ରପ୍ତ ହୋଇଛି ।

ତେବେ ଅସରାଏ ବର୍ଷାରେ ଭୁବନେଶ୍ୱରର ଏଭଳି ପରିସ୍ଥିତି ଲୋକହସାର କାରଣ ପାଲଟିଛି । କାରଣ ଖରାରୁ ମୁକ୍ତି ପାଇବା ପାଇଁ ବର୍ଷାର ସାହାରା ଖୋଜୁଥିବା ବେଳେ ଭୁବନେଶ୍ୱର ବାସୀଙ୍କ ପାଇଁ ଏ ବର୍ଷା ବି ଗୋଟିଏ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି । ତେଣୁ ଭୁବନେଶ୍ୱରର ବାସିନ୍ଦା ଏବେ ପ୍ରକୃତିର ପରିବର୍ତ୍ତନ ମଧ୍ୟରେ ଫସି ରହିଛି । ତେବେ ଏହି ପରିସ୍ଥିତିକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ବିଜେଡି ସରକାରରେ ଏହି ସମସ୍ୟାର ସମାଧାନ ହୋଇପାରି ନଥିବା ବେଳେ ଏବେ ନୂଆ ସରକାରରେ ଏହି ସମସ୍ୟାରୁ ମୁକୁଳିବ କି ଭୁବନେଶ୍ୱର? ଅସରାଏ ବର୍ଷା ପାଣିରେ ବୁଡ଼ି ଯାଉଥିବା ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଲୋକହସା ହେବାରୁ ରକ୍ଷା କରିପାରିବ କି ଓଡ଼ିଶାର ‘ଡବଲ ଇଞ୍ଜିନ’ ସରକାର?

Get real time updates directly on you device, subscribe now.