fbpx

(Video) ଶ୍ରୀଜୀଉଙ୍କ ୩ ରଥ ଦଉଡିର ନାମ କ’ଣ? ଜାଣନ୍ତୁ ରଥଯାତ୍ରା ପରେ କ’ଣ ହୁଏ ଏହି ଦଉଡି…

ପୁରୀ: ବଡଦାଣ୍ଡରେ ରଥାରୂଢ ହୋଇ ସାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭାଇ ଭଉଣୀ । ଆଉ କିଛି ସମୟ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର । କାଳିଆ ସାଆନ୍ତ ଭାଇ ଭଉଣୀଙ୍କ ସହ ମାଉସି ଘରେ ପୋଡ଼ ପିଠା ଖାଇ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ । ରଥ ଦଉଡ଼ିକୁ ଧରି ମହାପ୍ରଭୁଙ୍କୁ ଭକ୍ତମାନେ ଟାଣି ଟାଣି ନେଇଯିବେ, ହେଲେ ଘୋଷଯାତ୍ରାରେ ବ୍ୟବହାର ହେଉଥିବା ଏହି ଦଉଡିର ନାମ କ’ଣ ଆପଣ ଜାଣିଛନ୍ତି କି ? ଏହାର ଲମ୍ବ ଏବଂ ଓଜନ କେତେ ଏବଂ ରଥ ଟଣା ସରିବା ପରେ ଏହି ଦଉଡ଼ିକୁ କଣ କରାଯାଏ?

ବଡଦାଣ୍ଡରେ ଶ୍ରୀବିଗ୍ରହଙ୍କର ରଥକୁ ଆଜି ଟାଣିବେ ବାସୁକୀ, ଶଙ୍ଖଚୁଡ଼ ଏବଂ ସ୍ୱର୍ଣ୍ଣଚୁଡ଼ । ଏ ସବୁ ହେଉଛି ରଥ ଦଉଡ଼ିର ନାମ । ପୁରାଣ ପ୍ରସିଦ୍ଧ ନାଗନାଗୁଣିଙ୍କ ନାମ ନେଇ ତିନି ରଥର ଦଉଡ଼ି ମାନଙ୍କର ନାମ ରଖାଯାଇଛି । ତେବେ ବଳଭଦ୍ରଙ୍କ ରଥ ତାଳଧ୍ୱଜରେ ଲାଗିଥାଏ ବାସୁକୀ ନାଗଙ୍କ ନାମରେ ନାମିତ ରଥ ଦଉଡ଼ି । ସୁଭଦ୍ରାଙ୍କ ରଥ ଦର୍ପଦଳନରେ ଲାଗିଥାଏ ସ୍ୱର୍ଣ୍ଣଚୁଡ଼ ନାଗ ଦଉଡ଼ି ଏବଂ ଶଙ୍ଖଚୁଡ଼ ନାଗ ଦଉଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଲାଗିଥାଏ ।

ପ୍ରତିଟି ରଥରେ ଲାଗିଥାଏ ୪ଟି ଲେଖାଏଁ ମୋଟ ୧୨ଟି ଦଉଡ଼ିକୁ ବ୍ୟବହାର କରାଯାଏ ରଯାତ୍ରାରେ । ପ୍ରତିଟି ଦଉଡ଼ିର ଲମ୍ବ ରହିଥାଏ ୨୨୦ ଫୁଟ । ଦଉଡି଼ର ମୋଟେଇ ୮ ଇଞ୍ଚ ରହିଥିବା ବେଳେ ଓଜନ ହେଉଛି ୧୪୦ କେଜି । ଏହି ସବୁ ଦଉଡ଼ିକୁ ମାସ ମାସ ଧରି ପୁରୀ ଜିଲ୍ଲା ଚନ୍ଦନପୁର ପାଖ ବିରପ୍ରତାପପୁରରେ ମହାପ୍ରଭୁଙ୍କ ସେବକମାନେ ପ୍ରସ୍ତୁତ କରିଥାନ୍ତି ।

ତେବେ ଏହି ସବୁ ଦଉଡ଼ିକୁ ରଥ ଟଣା ସରିବା ପରେ କଣ କରାଯାଏ । ଏମିତି କିଛି ପ୍ରଶ୍ନ ଅନେକଙ୍କ ମନରେ ରହିଥାଏ । ତେବେ ରଥ ଦଉଡ଼ିକୁ ଛଇଁଲେ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ରଥ ଦଉଡ଼ିକୁ ରଥ ଟଣା ସରିବା ପରେ ପବିତ୍ର କାମ ମାନଙ୍କରେ ବ୍ୟବହାର କରାଯାଏ । ଜଗନ୍ନାଥ ଭକ୍ତମାନେ ଏହି ଦଉଡ଼ିକୁ ଘର ଠାରୁ ଆରମ୍ଭ କରି ନିଜ ହାତରେ ମଧ୍ୟ ବାନ୍ଧିଥାନ୍ତି । ଏହାଦ୍ୱାରା ଘର ଏବଂ ନିଜଠାରୁ ପାପକ୍ଷୟ ହେବା ସହିତ ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.