ଯଦି ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ, ଆପଣ କ’ଣ ତାଙ୍କୁ ସ୍ୱୀକାର କରିବେ? ଜାଣନ୍ତୁ ପଦବୀ ଛାଡ଼ିବା ନେଇ କ’ଣ କହିଲେ ଚନ୍ନୀ

ନୂଆଦିଲ୍ଲୀ: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପ୍ରତ୍ୟେକ ରାଜ୍ୟର ରାଜନୀତି ଏକପ୍ରକାର ଚଳଚଞ୍ଚଳ ହୋଇ ଉଠିଛି । ତେବେ ବର୍ତ୍ତମାନ ସମୟରେ ପଞ୍ଜାବର ଦୃଶ୍ୟପଟ୍ଟରେ କିଛି ଅଲଗା ଛବି ଦେଖିବାକୁ ମିଳୁଛି । ପାକିସ୍ତାନ ଗସ୍ତ ହେଉ ବା ରାଜ୍ୟ ରାଜନୀତିକୁ ନେଇ ହେଉ ନବଜୋତ ସିଂହ ସିଦ୍ଧୁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସିଦ୍ଧୁଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି । ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନରେ ସିଦ୍ଧୁ ବସିବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି । ତେବେ ଏପରି କିଛି ନିକଟରେ ଘଟିବ ନା ବିଧାନସଭା ପରେ ଘଟିବ ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଗତ ସେପ୍ଟେମ୍ବର ମାସରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ପୁଣି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଯିବା କଥା ପ୍ରଥମେ ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଚନ୍ନୀଙ୍କୁ ପ୍ରଦେଶ ଅଧ୍ୟକ୍ଷ ସିଦ୍ଧୁଙ୍କ ଉପରେ ପ୍ରଶ୍ନ କରାଯାଇଥିଲା । ସିଦ୍ଧୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚନ୍ନୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ସିଏମ୍ କିଏ ହେବ ତାହା ରାଜ୍ୟର ଜନତା, ବିଧାୟକ ଓ ପାର୍ଟି ସ୍ଥିର କରିବେ । ସେ ସିଦ୍ଧୁଙ୍କୁ ବଡ଼ଭାଇ ବୋଲି ମାନନ୍ତି । ଗୋଟିଏ ଗରିବ ପରିବାରରୁ ଆସି ସଂଘର୍ଷ କରି ଆଜି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମୟରୁ ସିଦ୍ଧୁ ବିବାଦରେ ରହିଆସିଛନ୍ତି । ତେବେ ଚନ୍ନୀ ଯଦି ଏବେ ସିଦ୍ଧୁଙ୍କ ବିରୋଧରେ ପାୱାର ଜଙ୍ଗ ଭଳି ମନ୍ତବ୍ୟ ଦେଇଥାନ୍ତେ, ରାଜ୍ୟ କଂଗ୍ରେସରେ ପୁଣି ବିବାଦ ମେଲାଇଥାନ୍ତା । ମାତ୍ର ଚନ୍ନୀ ନିଜର ବିଚକ୍ଷଣ ବୁଦ୍ଧି ବଳରେ ଯେଉଁ ଭଳି ଢଙ୍ଗରେ ଉତ୍ତର ଦେଇଛନ୍ତି ତାହା ତାଙ୍କର ଉଚ୍ଚଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱକୁ ପ୍ରମାଣିତ କରୁଛି ।