fbpx

ସୋନିଆ ରାଜନୀତିରୁ ସନ୍ୟାସ ନେବେ ନାହିଁ! ଯଦି ନିଅନ୍ତି ତେବେ କଂଗ୍ରେସ ୨୦୨୪ ଯୁଦ୍ଧ କେମିତି ଲଢ଼ିବ, କ’ଣ ଘଟିବ ଆଗକୁ

Advertisement

ନୂଆଦିଲ୍ଲୀ: ଆଜି ଦେଶର ସର୍ବପୂରାତନ ରାଜନୈତି ଦଳ କଂଗ୍ରେସର ରାୟପୁର ଅଧିବେଶନରୁ ଏକ ବଡ଼ ଖବର ଆସିଛି । ପ୍ରଥମ ଥର ପାଇଁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ରାଜନୀତିରୁ ସନ୍ୟାସ ନେଇ ସଙ୍କେତ ଦେଇଥିଲେ । ଏହି ଅବସରରେ ସୋନିଆ ୧୯୯୮ରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ଠାରୁ ଆରମ୍ଭ କରି ଦୀର୍ଘ ୨୫ ବର୍ଷର ରାଜନୈତିକ ଯାତ୍ରର ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ । ମନମୋହନ ସିଂହଙ୍କ ନେତୃତ୍ୱରେ ଗତ ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ଦଳକୁ ମିଳିଥିବା ବିଜୟକୁ ସେ ବଡ଼ ଉପଲବଧି ବୋଲି ଦର୍ଶାଇଥିଲେ ।

ତେବେ ପ୍ରଥମ ଥର ସୋନିଆ ଏଭଳି ଏକ ଭାବପ୍ରବଣ ଭାଷଣ ଦେଇଥିବାରୁ ରାଜନୀତିରୁ ସେ ଅବସର ନେବା ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୋନିଆ ସତରେ କ’ଣ ରାଜନୀତିକୁ ଅଲବିଦା ଜଣାଇବେ । ଏନେଇ ସୋନିଆଙ୍କ ବିଶ୍ୱସ୍ତ ତଥା ଛତିଶଗଡ଼ କଂଗ୍ରେସର ପ୍ରଭାରୀ କୁମାରୀ ଶୈଲଜା ଏ ନେଇ ସଫେଇ ଦେଇଛନ୍ତି । ରାଜନୀତିରୁ ସୋନିଆଙ୍କ ଅବସର ପ୍ରସଙ୍ଗକୁ ସେ ଖାରଜ କରିଦେଇଛନ୍ତି । ସୋନିଆଙ୍କ ବୟାନ ଅଧ୍ୟକ୍ଷ କାର୍ଯ୍ୟକାଳ ସମାପ୍ତ ଉପରେ ପର୍ଯ୍ୟବେସିତ ଥିଲା ବୋଲି ଶୈଲଜା କହିଛନ୍ତି ।

ତେବେ ଯଦି ସୋନିଆ ସକ୍ରିୟ ରାଜନୀତିରୁ ଅବସର ନିଅନ୍ତି ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ କେମିତି ଲଢ଼ିବ କଂଗ୍ରେସ? ସାରା ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତକୁ ଖସୁଥିବା ବେଳେ ଦଳର ଅନ୍ତିମ ଦୁର୍ଗ ଉତ୍ତରପ୍ରଦେଶକୁ କିଏ ବଞ୍ଚାଇବ? ୟୁପିରେ କଂଗ୍ରେସର ଅନ୍ତିମ ଦୁର୍ଗ ହେଉଛି ରାୟବରେଲି ଲୋକସଭା ସିଟ୍ । ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୟୁପିରେ କେବଳ ରାୟବରେଲି ଆସନରୁ ଜିତିପାରିଥିଲା । ରାହୁଲ ଗାନ୍ଧି ଆମେଠିରୁ ହାରିବା ପରେ ରାୟବରେଲି ଜନତା କଂଗ୍ରେସ ଉପରେ ଭରସା କରି ସୋନିଆଙ୍କୁ ଜିତାଇ ସଂସଦ ପଠାଇଥିଲେ ।

ଗୋଟିଏ ପଟେ କଂଗ୍ରେସ ମୁସ୍କିଲ ସ୍ଥିତିରେ ରହିଥିବା ବେଳେ ସୋନିଆ ରାଜନୀତିରୁ ଦୂରେଇବାକୁ ଯାଉଛନ୍ତି । ୨୦୧୪ ମୋଦୀ ଲହର ସମୟରେ ଉକ୍ତ ଆସନରୁ ସୋନିଆ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । ମାତ୍ର ୨୦୧୯ରେ ଭୋଟ ବିଜୟ ବବଧାନ ଦେଢ଼ ଲକ୍ଷକୁ ଖସି ଆସିଥିଲା । ଏଭଳି ସ୍ଥିତିରେ ସୋନିଆ ଯଦି ଅବସର ନିଅନ୍ତି ତେବେ କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ଦଳକୁ ସଙ୍କଟରୁ ବଞ୍ଚାଇବା ପାଇଁ କାହାକୁ ଦାୟିତ୍ୱ ଦିଆଯିବ? ଏଭଳି ସ୍ଥିତିରେ ୨୦୨୪ରେ ପ୍ରିୟାଙ୍କା ଦଳ ପାଇଁ ସଞ୍ଜିବନୀ ସାଜି ପାରନ୍ତି ।

କେବଳ ସଂସଦୀୟ କ୍ଷେତ୍ର ନୁହେଁ, ପଞ୍ଚାୟତ ଓ ବ୍ଲକ ସ୍ତରରେ ମଧ୍ୟ କଂଗ୍ରେସ ମାଟି କାମୁଡ଼ି ପଡ଼ିଥିଲା । ଜିଲ୍ଲାର ଗୋଟିଏ ନଗର ପଞ୍ଚାୟତ ପଦରେ କଂଗ୍ରେସ ରହିଛି । । ବିଧାନସଭାର ପରିଣାମ ତା’ଠାରୁ ତଦ୍ରୂପ । ବିଧାନସଭା ନିର୍ବାଚନରେ ରାୟବରେଲି ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଇଥିଲା । ଦଳ ଗୋଟିଏ ବି ଆସନ ଜିତି ପାରିନଥିଲା । କଂଗ୍ରେସ କେବଳ ହାରିନଥିଲା, ଦ୍ୱିତୀୟ ସ୍ଥାନରେ ବି ରହିପାରି ନଥିଲା ।

କଂଗ୍ରେସର ମୂଳ ପିଣ୍ଡି ଭାବେ ରାୟବରେଲି ଇତିହାସର ଅନେକ ଗୌରବ ଗାଥା ବହନ କରୁଛି । ତେଣୁ ସୋନିଆଙ୍କ ଅବସର କଥା ଉଠିବାରୁ ହଠାତ୍ ରାୟବରେଲି ଯେମିତି ଚେଇଁ ଉଠିଛି । କାରଣ କଂଗ୍ରେସ ବୁଡ଼ିବା ସମୟରେ କେବଳ ରାୟବରେଲି ହିଁ ତା’ ସହ ଠିଆ ହୋଇଛି । ଆଜି ସେତକ ବି ଚାଲିଯିବାକୁ ବସିଛି । ଯେଉଁ ରାୟବରେଲି ଦିନେ କଂଗ୍ରେସର ବିଜୟର ସଙ୍କେତ ବହନ କରୁଥିଲା, ଆଜି ତାହା ଲୁପ୍ତ ହେବାକୁ ବସିଛି । ଏହି ଆସନରୁ ଅତୀତରେ ଫିରୋଜ ଗାନ୍ଧି ଓ ଇନ୍ଦିରା ଗାନ୍ଧି ଲୋକସଭା ପାଇଁ ପ୍ରତିନିଧିତ୍ୱ କରିଥିଲେ ।

Get real time updates directly on you device, subscribe now.