fbpx

କ’ଣ ଘଟିଥିଲା ସେଦିନ? କୋଲକାତା ଦୁଷ୍କର୍ମ ମାମଲାରେ ଖୋଳତାଡ଼ କରିବ CBI: ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଲକାତାର ଆର.ଜି ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ପୀଡ଼ିତାଙ୍କୁ ଯଥାଶୀଘ୍ର ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ ରାଜ୍ୟରୁ ଦାବି ଉଠିଛି । ବର୍ତ୍ତମାନ ଏ ନେଇ କୋଲକାତାର ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ରବିବାର ସୁଦ୍ଧା ପୋଲିସ ଏହି ମାମଲାର ଯାଞ୍ଚ ଶେଷ ନ କଲେ ଏହା ସିବିଆଇକୁ ହସ୍ତାନ୍ତର କରି ଦିଆଯିବ । ପୀଡ଼ିତାଙ୍କ ପରିବାର ଲୋକେ ମଧ୍ୟ ଏହି ଦାବି କରିଥିଲେ ।

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା ଏବେ ସାରା ଦେଶରେ ଆନ୍ଦୋଳନର ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହି ମାମଲାର ସ୍ୱତଃ ସଜ୍ଞାନ ନେଇ ବଡ଼ ରାୟ ଶୁଣାଇଛନ୍ତି । ବୁଧବାର ସୁଦ୍ଧା ଯେକୌଣସି ପରିସ୍ଥିତିରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ହାଇକୋର୍ଟ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାବ୍ୟତୀତ ସମସ୍ତ ଯାଞ୍ଚ ହାଇକୋର୍ଟଙ୍କ ନଜରରେ ହେବ ବୋଲି କହିଛନ୍ତି ହାଇକୋର୍ଟ । ତେବେ ଆଗାମୀ ୩ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ପୀଡ଼ିତାଙ୍କ ପିତାମାତାଙ୍କ ସମେତ ଆର.ଜି କର ମେଡିକାଲ କଲେଜର ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ମଧ୍ୟ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ତେବେ ହାଇକୋର୍ଟଙ୍କ ଏହି ଶୁଣାଣି ପରେ ମାମଲାର ଉଚିତ୍ ତଦନ୍ତ ସହ ଉଚିତ୍ ନ୍ୟାୟ ମିଳିବା ନେଇ ଆଶା ବାନ୍ଧି ବସିଛନ୍ତି ଦେଶବାସୀ ।

ସୂଚନା ଅନୁସାରେ, ପୀଡ଼ିତା ଡାକ୍ତରଙ୍କ ପିତାମାତା ଅଭିଯୋଗ କରିଥିଲେ ଯେ, ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ମହିଳାଙ୍କ ଶବ ପାଖକୁ ଯିବା ପାଇଁ ରୋକା ଯାଇଥିଲା । କିନ୍ତୁ କୋର୍ଟରେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସେପଟେ ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି ଯେ, ହସ୍ପିଟାଲରୁ ପୋଲିସ ଷ୍ଟେସନକୁ ସକାଳ ୯.୩୦ରେ ସୂଚନା ଦିଆ ଯାଇଥିବା ବେଳେ ପରେ ଆର.ଜି କର ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ୨ ଥର ଫୋନ୍ କରିଥିଲେ । ଏହି ଖବର ସକାଳ ୧୦:୧୦ ରେ ଆସିଥିଲା ଏବଂ ଏହା ପରେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ତେବେ ହୋମିସାଇଡ ଟିମ୍ ପ୍ରାୟ ୧୧:୦୦ ସମୟରେ ଡାକ୍ତରଖାନାରେ ପହଞ୍ଚିଥିଲେ।

Get real time updates directly on you device, subscribe now.