fbpx

ମହିଳା ସଂରକ୍ଷଣ ବିଲରେ କ’ଣ ରହିଛି ସ୍ପେଶାଲ? କେଉଁ ସୁବିଧା ପାଇବ ନାରୀଶକ୍ତି, କ୍ୟାବିନେଟରୁ ମିଳିଛି ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଛି । ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସମସ୍ତ ସିଟରେ ଏକ-ତୃତୀୟାଂଶ ସଂରକ୍ଷଣ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ୨୭ ବର୍ଷ ପର୍ଯ୍ୟନ୍ତ ଏହି ବିଲକୁ ମଞ୍ଜୁରୀ ପାଇଁ ଅପେକ୍ଷା କରିବାକୁ ପଡ଼ିଥିବା ବେଳେ ଗତକାଲି ଏହାକୁ କ୍ୟାବିନେଟ ବୈଠକରେ ମୋହର ଲଗାଯାଇଛି । ତେବେ ସରକାରଙ୍କ ତରଫରୁ ଏହି ବିଲକୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁସାରେ, ୨୦୦୮ ମସିହାରେ ଏହି ବିଲକୁ ଶେଷ ଥର ପାଇଁ ସଂସଦରେ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ରଖାଯାଇଥିବା ପ୍ରସ୍ତାବ ଅନୁସାରେ, ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳା ନେତ୍ରୀଙ୍କ ପାଇଁ ସମସ୍ତ ଆସନରୁ ୩୩ ପ୍ରତିଶତ ସଂରକ୍ଷଣ ରଖାଯାଉ । ତେବେ ବିଲ୍ ଅନୁସାରେ, ମହିଳା ସାଂସଦଙ୍କ ପାଇଁ ସଂରକ୍ଷିତ ସିଟ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରୋଟେସନ ଜରିଆରେ କରାଯାଇପାରିବ । ଏହି ବିଲ୍ ରେ ମହିଳାଙ୍କ ସିଟ୍ ସଂରକ୍ଷଣ ବ୍ୟବସ୍ଥା ୧୫ ବର୍ଷ ପାଇଁ ଲାଗୁ କରାଯାଇଛି । ଏହାପରେ ଏହି ନିୟମ ଶେଷ ହେବ ବୋଲି ବିଲ୍ ରେ କୁହାଯାଇଛି । ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ସମସ୍ତ ଆସନଗୁଡ଼ିକର ଏକ ତୃତୀୟାଂଶ ସେଠାକାର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।

ତେବେ ଏହି ବିଲ୍ କୁ ପ୍ରଥମେ ୧୯୯୬ ମସିହାରେ ଲୋକସଭାରେ ଆଗତ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ନେତୃତ୍ୱାଧୀନ ସଂଯୁକ୍ତ ମୋର୍ଚ୍ଚା ସରକାର ଦ୍ୱାରା ୮୧ତମ ସଂଶୋଧନ ବିଲ୍ ଭାବରେ ଏହାକୁ ସ୍ଥାନ ଦିଆଯାଇଥିଲା । ଏହା ବିଫଳ ହେବା ପରେ ୧୯୯୮ ମସିହାରେ ପୁଣିଥରେ ଏହି ବିଲ୍ ଆଗତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ତାଙ୍କ ନେତୃତ୍ୱାଧୀନ ଏନଡିଏ ସରକାର । ସେତେବେଳେ ମଧ୍ୟ ଏହି ବିଲ୍ କୁ ସମର୍ଥନ ମିଳିପାରି ନଥିଲା । ସେହିପରି ୧୯୯୯, ୨୦୦୨ ଏବଂ ୨୦୦୩ ମସିହାରେ ମଧ୍ୟ ବହୁମତ ହାସଲ କରିବାରେ ବିଫଳ ରହିବାରୁ ମହିଳା ସଂରକ୍ଷଣ ବିଲ୍ ଅଧାରେ ରହି ଯାଇଥିଲା ।

୨୦୦୮ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାର ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ୨୦୧୦ ମସିହା ମାର୍ଚ୍ଚ ୯ ତାରିଖରେ ୧୮୬–୧ ଭୋଟ୍ ସହିତ ଏହା ପାରିତ ହୋଇଥିଲା। ତେବେ ଏହି ବିଲ୍ ଲୋକସଭାରେ କେବେ ବି ବିଚାର ପାଇଁ ରଖାଯାଇ ନଥିଲା ଏବଂ ଏହା ୧୫ ତମ ଲୋକସଭା ସହିତ ଶେଷ ହୋଇଥିଲା। ସେତେବେଳେ ଆରଜେଡି, ଜନତା ଦଳ (ୟୁନାଇଟେଡ୍) ଏବଂ ସମାଜବାଦୀ ପାର୍ଟି ଏହାକୁ ଦୃଢ ବିରୋଧ ପ୍ରଦର୍ଶନ କରିଥିଲେ। ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ କୋଟା ମଧ୍ୟରେ ପଛୁଆ ବର୍ଗଙ୍କ ପାଇଁ ମଧ୍ୟ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ସେମାନେ ଦାବି କରିଥିଲେ।

Get real time updates directly on you device, subscribe now.