fbpx

‘ଏକ ଦେଶ- ଏକ ନିର୍ବାଚନ’ର ଅର୍ଥ କଣ: ଏହା ଲାଗୁହେଲେ ଫାଇଦା କ’ଣ ଓ କ୍ଷତି କ’ଣ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ନରେନ୍ଦ୍ର ମୋଦୀ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସ୍ୱାଧୀନତାର କିଛି ବର୍ଷ ପର୍ଯ୍ୟନ୍ତ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ନିର୍ବାଚନୀ ପରମ୍ପରା ଭାଙ୍ଗି ଯାଇଥିଲା । ତେବେ ଏହା ଲାଗୁହେଲେ କ’ଣ ଫାଇଦା ଆଉ କ’ଣ କ୍ଷତି ହେବ ତାହା ଜାଣିବା ନିହାତି ପକ୍ଷେ ଏକ ବଡ଼ ଖବର ।

‘ଏକ ଦେଶ- ଏକ ନିର୍ବାଚନ’ ସିଧାସଳଖ ଅର୍ଥ ହେଉଛି ସାରା ଦେଶରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା । ଏହା ଲାଗୁ ହେଲେ ବାରମ୍ବାର ନିର୍ବାଚନ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବଞ୍ଚି ପାରିବ ବୋଲି କୁହାଯାଉଛି । ୧୯୫୧-୫୨ ଲୋକସଭା ନିର୍ବାଚନରେ ୧୧ କୋଟି ଖର୍ଚ୍ଚ ହୋଇଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ୬୦ କୋଟି ଖର୍ଚ୍ଚ ହୋଇଥିଲା । ଭାରତ ପରି ବିଶାଳ ଦେଶରେ ବାରମ୍ବାର ନିର୍ବାଚନରୁ ମୁକ୍ତି ମିଳି ପାରିବ । ସରକାରଙ୍କ ପାଖରେ ଭୋଟରଙ୍କର ଏକ ଲିଷ୍ଟ ରହିବ, ଫଳରେ ଦେଶର ବିକାଶ କାର୍ଯ୍ୟରେ ବାଧାପ୍ରାପ୍ତ ହେବ ନାହିଁ । ବାରମ୍ବାର ନିର୍ବାଚନ ହେବା ଫଳରେ ନିର୍ବାଚନୀ ଆଚରଣ ସଂହିତା ଲାଗୁ ହେଉଛି । ଫଳରେ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରୁନାହାନ୍ତି । ଫଳରେ ଦେଶର ବିକାଶ ବାଧାପ୍ରାପ୍ତ ହେଉଛି । କଳାଧନ ଓ ଭ୍ରଷ୍ଟାଚାର ଉପରେ ରୋକ ଲାଗି ପାରିବ ।

ତେବେ କେନ୍ଦ୍ର ସରକାର ଏହି ବିଲ ସପକ୍ଷରେ ରହିଥିଲେ ଏହା ଫଳରେ କିଛି କ୍ଷତି ହୋଇପାରେ ବୋଲି ବିରୋଧୀ କହୁଛନ୍ତି । ଯଦି ବିଲ ଲାଗୁ ହୁଏ ତେବେ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କୁ ଏକତରଫା ଫାଇଦା ମିଳିବ । ଯଦି ଦେଶରେ କ୍ଷମତାରେ ରହିଥିବା ଦଳକୁ ଜନତା ସମର୍ଥନ କରନ୍ତି ତେବେ ସାରା ଦେଶରେ ଗୋଟିଏ ପାର୍ଟି ଶାସନ କରିବା ଫଳରେ ବିପଦ ସୃଷ୍ଟି ହୋଇପାରେ । ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳ ମଧ୍ୟରେ ମତଭେଦ ଅଧିକ ବଢ଼ିପାରେ । ରାଷ୍ଟ୍ରୀୟ ଦଳକୁ ଅଧିକ ଫାଇଦା ମିଳିବ ଓ ଛୋଟ ଦଳକୁ ଅଧିକ କ୍ଷତି ପହଞ୍ଚିପାରେ । ଏକସଙ୍ଗେ ସାରା ଦେଶରେ ନିର୍ବାଚନ କରାଗଲେ ଫଳାଫଳ ଆସିବାକୁ ବିଳମ୍ବ ହେବ । ଫଳରେ ରାଜନୈତିକ ଅସ୍ଥିରତା ବଢ଼ିବ, ଯାହାର ପରିଣାମ ଭୋଗିପାରନ୍ତି ଜନତା । କୌଣସି ବିଧାନସଭାର କାର୍ଯ୍ୟକାଳ ବଢ଼ାଇବା ବା ସମୟ ପୂର୍ବରୁ ଭଙ୍ଗ କରିବା ସମସ୍ୟା ସୃଷ୍ଟି କରିପାରେ । ଏହାକୁ ଲାଗୁ କରିବା ଏତେ ସହଜ ହେବ ନାହିଁ ବୋଲି ବିଶ୍ଲେଷଣକାରୀମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.