fbpx

ଓଡ଼ିଶାରେ ପ୍ରକୃତ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଯାଉଛି? ଏହା ସତ ନା ମିଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁର ପ୍ରକୃତ ସଂଖ୍ୟା କେତେ? ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିବାଦ । ଆଜି ସୁଦ୍ଧା ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୧୦୯ ହୋଇଥିଲେ ହେଁ ପ୍ରକୃତ ସଂଖ୍ୟା କିନ୍ତୁ ଏହି ଅଙ୍କଠାରୁ ବହୁତ ଅଧିକ ବୋଲି କୁହାଯାଉଛି । ସରକାର ଏହି ସଂଖ୍ୟାକୁ ଠିକ୍ ବୋଲି ଦାବି କରିଆସୁଥିଲେ ମଧ୍ୟ ଶ୍ମଶାନର ଚିତ୍ର ଓ ମୃତ୍ୟୁ ସାର୍ଟିଫିକେଟରୁ ମିଳିଥିବା ତଥ୍ୟ ଆଉ କିଛି ଦର୍ଶାଉଛି ।

ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ରାଜଧାନୀର ସତ୍ୟନଗର ଶ୍ମଶାନରେ ଯେତିକି ସଂଖ୍ୟାରେ ଶବଦାହ କରାଯାଇଥିଲା, ତାହା ତୁଳନାରେ ସରକାରୀ ଡାଟା ଅତ୍ୟ ନଗଣ୍ୟ ବୋଲି ଚର୍ଚ୍ଚା ହେଉଛି । ତେବେ ଦ୍ୱିତୀୟ ଲହରରେ ଅଧିକ ରୋଗୀ ମୃତ୍ୟୁବରଣ କରିଥିବାରୁ ଏହି ଅଙ୍କ ବୃଦ୍ଧି ପାଇବା ସ୍ୱାଭାବିକ । ତେବେ ସତ୍ୟନଗର ଶ୍ମଶାନ ସହ ରାଜ୍ୟର ଅନ୍ୟ ଶ୍ମଶାନକୁ ଯଦି ହିସାବକୁ ନିଆଯିବ, ତେବେ ପ୍ରକୃତ ତଥ୍ୟ ପଦାକୁ ଆସିବ । କିଛିଦିନ ଧରି ମୃତ୍ୟୁକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହେଉଥିଲା । ଗତକାଲି ଶାସକ ଦଳ ବିଜେଡିର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏନେଇ ‘ସମ୍ବାଦ’ରେ ଏକ ସ୍ତମ୍ଭ ମାଧ୍ୟମରେ କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଜଣାପଡ଼ିଛି ଯେ, ଗତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ସତ୍ୟନଗର ଶ୍ମଶାନରେ ମୋଟ ୪୯୫ଟି ଶବ ଦାହ କରାଯାଇଥିଲା । କରୋନା ବଢ଼ିବା ପରେ ଜୁଲାଇରୁ ଡିସେମ୍ବର ମଧ୍ୟରେ ୩୯୭୮ଟି ଶବ ଦାହ ହୋଇଥିଲା । ତଥ୍ୟ ଅନୁଯାୟୀ ଗତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ମାସିକ ହାରାହାରି ୮୩ଟି ଓ ଜୁଲାଇରୁ ଡିସେମ୍ବର ମଧ୍ୟରେ ହାରାହାରି ୬୬୩ଟି ଶବଦାହ ହୋଇଥିଲା । ମାତ୍ର ଡିସେମ୍ବର ମାସ ସୁଦ୍ଧା ସରକାରୀ ଭାବେ ୧୮୭୩ଟି ଶବ ଦାହ କରାଯାଇଥିବା ଘୋଷଣା ହୋଇଥିଲା । ସେହିପରି ଗତବର୍ଷ ୫୪୯୮ଟି ମୃତ୍ୟୁ ପ୍ରମାଣପତ୍ର ଜାରି କରାଯାଇଥିବା ବେଳେ ୬୧୧ଟି ମୃତ୍ୟୁ ସାର୍ଟିଫିକେଟ୍ ଦିଆଯାଇଛି । ଏହାବାଦ୍ ବିଏମସି ହସ୍ପିଟାଲ ସହ ଅନ୍ୟ ୭ଟି ଘରୋଇ ହସ୍ପିଟାଲରେ ୩୨୪୬ଟି ମୃତ୍ୟୁ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ସେହିପରି ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ୪୧୪ ମୃତ୍ୟୁ ରହିଥିବା ସରକାରୀ ଭାବେ ଦର୍ଶାଯାଇଛି । ସରକାରୀ ରିପୋର୍ଟ, ଶ୍ମଶାନ ଶବଦାହ ସଂଖ୍ୟା ଓ ମୃତ୍ୟୁ ପ୍ରମାଣପତ୍ରକୁ ତର୍ଜମା କଲେ କୌଣସି ତାଳମେଳ ରହୁନାହିଁ । ବର୍ତ୍ତମାନ ରାଜ୍ୟ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଲାଣି । ତେଣୁ ରାଜ୍ୟ ସରକାର ତୁରନ୍ତ କରୋନା ମୃତ୍ୟୁ ନେଇ ଗତବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପ୍ରମାଣ ସହ ଉପସ୍ଥାପନ କରିବା ଦରକାର ।

Get real time updates directly on you device, subscribe now.