ହ୍ୱାଟସଆପ୍ ଲଞ୍ଚ କଲା ଜରୁରୀ ଫିଚର ସ୍କ୍ରିନ ସେୟାରିଂ, ଏଣିକି ଫୋନରେ ଅନ୍ୟକୁ ବୁଝାଇବା ହୋଇଯିବ ବହୁ ସହଜ

ନୂଆଦିଲ୍ଲୀ: ପୁରା ଦୁନିଆରେ ସବୁଠାରୁ ଅଧିକ ଉପଯୋଗ କରାଯାଉଥିବା ମେସେଜିଂ ଆପ୍ ହେଉଛି ହ୍ୱାଟସଆପ୍ । ଏବେ ଏହି ପ୍ଲାଟଫର୍ମରେ ଏକ ନୂଆ ଓ ଜରୁରୀ ଫିଚର ଲଞ୍ଚ ହୋଇଛି ଯାହାର ନାମ ସ୍କ୍ରିନ ସେୟାରିଂ । ଏହି ଫିଚର ୟୁଜର୍ସଙ୍କୁ ଭିଡିଓ କଲ୍ ସମୟରେ ମୋବାଇଲ ସ୍କ୍ରିନ ସେୟାର କରିବାର ସୁଯୋଗ ଦେବ । ଏହାଦ୍ୱାରା ଜଣେ ୟୁଜର ଫୋନରେ ଥିବା କଣ୍ଟେଣ୍ଟକୁ ଅନ୍ୟକୁ ଦେଖାଇବା ଓ ବୁଝାଇବାରେ ସମର୍ଥ ହୋଇପାରିବ ।

ମେଟାର ସିଇଓ ମାର୍କ ଜୁକରବର୍ଗ ଏହି ଫିଚର ବିଷୟରେ ଘୋଷଣା କରିଛନ୍ତି । ଜୁକରବର୍ଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ କହିଛନ୍ତି ଆମେ ହ୍ୱାଟସଆପ୍ ର ଭିଡିଓକଲ୍ ରେ ସ୍କ୍ରିନ ସେୟାରିଂ ଫିଚର ଯୋଡିବାକୁ ଯାଉଛୁ ।

ହ୍ୱାଟସଆପ୍ ରେ ସ୍କ୍ରିନ ସେୟାରିଂ ଫିଚର ଆଡ୍ ହେବା ପରେ ଅନ୍ୟ ମେସେଜିଂ ଆପ୍ ଲାଗି ସମସ୍ୟା ସୃଷ୍ଟି ହୋଇପାରେ ।ବହୁ ହ୍ୱାଟସଆପ୍ ୟୁଜର ସ୍କ୍ରିନ ସେୟାରିଂ ଲାଗି ଗୁଗଲ ମିଟ୍ ଏବଂ ଜୁମ୍ ପରି ପ୍ଲାଟଫର୍ମର ଉପଯୋଗ କରିଥାନ୍ତି ।

ଏହି ସ୍କ୍ରିନ ସେୟାରିଂ ଫିଚର ସହାୟତାରେ ୟୁଜର୍ସ ମିଟିଂ ସମୟରେ ଅନ୍ୟ ୟୁଜର୍ସଙ୍କ ସହିତ ଡକ୍ୟୁମେଣ୍ଟ କିମ୍ବା ଅନ୍ୟ କଣ୍ଟେଣ୍ଟ ଶୋକେସ୍ କରିପାରିବ । ଏହାଦ୍ୱାରା ୟୁଜର୍ସ ନିଜ ଡାକ୍ତର କିମ୍ବା ପରିଜନ ଆଦିଙ୍କ ସହ ସ୍କ୍ରିନ ସେୟାର କରି ଭିଡିଓ କଲ୍ରେ ପ୍ରଶ୍ନ ବି ପଚାରିପାରିବେ । ଏହା ବ୍ୟତିତ ଯେଉଁମାନେ ନିଜ ମାତାପିତାଙ୍କୁ ଫୋନ୍ ର ସେଟିଂ କିମ୍ବା ମେସେଜ୍ ବିଷୟରେ ବୁଝାଇବାକୁ ଚାହୁଁଛନ୍ତି ସେମାନେ ଏହାର ଉପଯୋଗ କରିପାରିବେ ।

ଏହାର ବ୍ୟବହାର କରିବା ଲାଗି ୟୁଜର ଭିଡିଓ କଲ୍ ସମୟରେ ସେୟାର ନାମକ ଆଇକନ୍ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ୟୁଜର୍ସ ସ୍ପେସିଫିକ୍ ଆପ୍ଲିକେସନ ବା ଏଣ୍ଟାୟାର ସ୍କ୍ରିନ୍ ଫିଚରର ଉପଯୋଗ କରିପାରିବ ।