fbpx

କେବେ ଓଡ଼ିଶାକୁ ଆସିବ ECMO ମେସିନ୍, କେବେ ଦୂର ହେବ ରାଜ୍ୟବାସୀଙ୍କ ଦୁଃଖ?

ଭୁବନେଶ୍ୱର, (ଓଡିଶା ଭାସ୍କର): କେବେ ରାଜ୍ୟକୁ ଆସିବ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଇସିଏମଓ) ମେସିନ୍? କେବେ ଓଡ଼ିଶାବାସୀଙ୍କ ଦୁଃଖ ହେବ ଦୂର? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଏକମୋ ମେସିନ୍ ରାଜ୍ୟରେ ଅଭାବ ଥିବାରୁ ଅନେକ ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଛନ୍ତି । ଦୁର୍ଲ୍ଲଭ ଏକମୋ ମେସିନର ନିତାନ୍ତ ପ୍ରୟୋଜନିୟତାକୁ ଦୃଷ୍ଟିରେ ରଖି କିଛି ଦିନ ପୂର୍ବରୁ ରାଜ୍ୟକୁ ୬ଟି ଏକମୋ ମେସିନ୍ ଆସିବ ବୋଲି ଡିଏମଇଟି ସୂଚନା ଦେଇଥିଲେ । ସେହିପରି ଏମ୍ସକୁ ଚଳିତ ମାସ ଶେଷ ସୁଦ୍ଧା ଦୁଇଟି ଏକମୋ ମେସିନ ଆସିବ ବୋଲି କୁହାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ସତରେ କ’ଣ ଏକମୋ ଓଡ଼ିଶାକୁ ଆସିବ? ତାହାହେଲେ କେବେ ଆସିବ? ବିଳମ୍ବରେ ଆସିଲେ କିଛି ଲାଭ ହେବ ନାହିଁ । ହୁଏତ ସେତେବେଳକୁ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହ ସେମାନେ ସର୍ବସ୍ୱ ହରାଇ ସାରିଥିବେ । ସାଧାରଣତଃ ରୋଗୀଙ୍କ ହୃଦପିଣ୍ଡ ଓ ଫୁସଫୁସ୍ ଅଚଳ ହେଲେ ଏକମୋ ମେସିନର ଦରକାର ହୋଇଥାଏ । ଏହା ଏକପ୍ରକାର କୃତ୍ରିମ ପ୍ରଣାଳୀରେ ରକ୍ତ ଯୋଗାଣ କରିଥାଏ । ଓଡ଼ିଶାର ସମ୍ ହସ୍ପିଟାଲରେ ୨ଟି ଓ କିମ୍ସରେ ଗୋଟିଏ ଏକମୋ ମେସିନ୍ ରହିଛି ବୋଲି କୁହାଯାଉଛି । ଏହାଛଡ଼ା ଅନ୍ୟ କେଉଁ ସରକାରୀ ହସ୍ପିଟାଲରେ ଏହି ମେସିନ୍ ନାହିଁ । କରୋନା କାଳରେ ଏହି ମେସିନର ଡିମାଣ୍ଡ ବହୁତ ବଢ଼ିଯାଇଛି । ଅନ୍ୟପକ୍ଷରେ ଏହି ମେସିନ୍ ଚଳାଇବା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତି ନାହାନ୍ତି ବୋଲି କୁହାଯାଇଛି । ରାଜ୍ୟରେ ଏହି ମେସିନର ଅଭାବ ଥିବାରୁ ବ୍ରହ୍ମପୁରର ଅମ୍ରିତ ପ୍ରଧାନ, ଭଞ୍ଜନଗରର ରମେଶ ସାହୁ, ଭଦ୍ରକର ଅଭିଷେକ ମହାପାତ୍ର, ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ ପରି ଅନେକ ଲୋକ ଲକ୍ଷାଧିକ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ ଭଡ଼ାରେ ଏକମୋ ମେସିନ ଆଣି ବିରୋଧୀ ଦଳ ନେତାଙ୍କ ଚିକିତ୍ସା କରାଯାଇଥିଲା । ଦେଖାଯାଉ କେବେ ଆସିବ ଏକମୋ, ଆଉ କେବେ ନିଜର ଜୀବନ ସହ ଟଙ୍କା ବଞ୍ଚାଇବାରେ ସଫଳ ହେବେ ଜନସାଧାରଣ ।

Get real time updates directly on you device, subscribe now.