fbpx

ଟେଷ୍ଟ କ୍ରିକେଟକୁ କେବେ ଫେରିବେ ଋଷଭ? ଦେବାକୁ ପଡ଼ିବ ଅଗ୍ନିପରୀକ୍ଷା… ୩ ୱିକେଟକିପର ଦେବେ ଟକ୍କର

ନୂଆଦିଲ୍ଲୀ: ବିରାଟ ଦୁର୍ଘଟଣାରୁ ସୁସ୍ଥ ହୋଇ ଟିମ ଇଣ୍ଡିଆରେ ଦମଦାର କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଟି-୨୦ ଏବଂ ଦିନିକିଆ ଫର୍ମାଟରେ କମବ୍ୟାକ କରିବା ପରେ ଋଷଭ ନିଜର ପୁରୁଣା ରୂପ ଦେଖାଇଛନ୍ତି । ଏବେ ପନ୍ତଙ୍କ ନଜର ରହିଛି ଟେଷ୍ଟ କ୍ରିକେଟ ଉପରେ । ଭାରତୀୟ ଟେଷ୍ଟ ଦଳରେ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ଋଷଭ । ତେବେ ଭାରତୀୟ ଟେଷ୍ଟ ଦଳରେ ସାମିଲ ହେବା ପାଇଁ ଋଷଭଙ୍କୁ ଏକ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ । ଟେଷ୍ଟ ସିରିଜରେ ସାମିଲ ହେବା ପୂର୍ବରୁ ଋଷଭ ଦୁଲୀପ ଟ୍ରଫି ଖେଳିପାରନ୍ତି ବୋଲି ଜାଣିବାକୁ ମିଳିଛି ।

ଭାରତୀୟ କ୍ରିକେଟ ବୋର୍ଡ ବର୍ତ୍ତମାନ ଟିମ ଇଣ୍ଡିଆର ଟପ୍ କ୍ରିକେଟରମାନଙ୍କୁ ଦୁଲୀପ ଟ୍ରଫି ଖେଳିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ତାଲିକାରେ ଋଷଭ ପନ୍ତଙ୍କ ନାମ ମଧ୍ୟ ସାମିଲ ରହିଛି । ଏହାଦ୍ୱାରା ଟେଷ୍ଟ କ୍ରିକେଟରେ ଋଷଭଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ଏହାପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିବ ବୋର୍ଡ । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଋଷଭ ଟେଷ୍ଟ କ୍ରିକେଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଇଦାନରେ ରହିବାକୁ ଅଭ୍ୟସ୍ତ ହୋଇପାରିବେ । ପନ୍ତ ଶେଷ ଥର ପାଇଁ ୨୦୨୨ ମସିହାରେ ଟେଷ୍ଟ କ୍ରିକେଟରେ ସାମିଲ ହୋଇଥିଲେ । ଏହାପରେ ଦୁର୍ଘଟଣା ଯୋଗୁଁ କ୍ରିକେଟରୁ ଦୂରେଇ ରହିଥିବା ବେଳେ ଆଇପିଏଲ-୨୦୨୪ରେ ପୁଣିଥରେ କ୍ରିକେଟ ମଇଦାନକୁ କମବ୍ୟାକ କରିଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ ଏବଂ ଫିଟନେସ ଯୋଗୁଁ ଖୁବଶୀଘ୍ର ଭାରତୀୟ ଦଳରେ ମଧ୍ୟ ତାଙ୍କୁ ସାମିଲ କରାଯାଇଛି ।

ଦୁଲୀପ ଟ୍ରଫି ପାଇଁ ଋଷଭଙ୍କୁ ୩ ଜଣ ୱିକେଟ କିପର ବ୍ୟାଟ୍ସମ୍ୟାନ୍ କଡ଼ା ଟକ୍କର ଦେଇପାରନ୍ତି । ଋଷଭଙ୍କ ବ୍ୟତୀତ ଦୁଲୀପ ଟ୍ରଫିରେ କେ.ଏଲ ରାହୁଲ, ଇଶାନ୍ କିଶାନ୍ ଏବଂ ଧ୍ରୁବ ଜୁରେଲ ମଧ୍ୟ ୱିକେଟ କିପର ଭାବରେ ମଇଦାନକୁ ଓହ୍ଲାଇବେ । ୩ ଜଣ ୱିକେଟ କିପର ଋଷଭଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ପାଇଁ ପ୍ରମୁଖ ଭୂମିକା ତୁଲାଇ ସାରିଛନ୍ତି । ତେଣୁ ଋଷଭଙ୍କୁ ଟେଷ୍ଟ କ୍ରିକେଟକୁ କମବ୍ୟାକ କରିବା ପୂର୍ବରୁ ଏହି ୩ ଜଣ କ୍ରିକେଟରଙ୍କୁ ସାମନା କରିବାକୁ ପଡ଼ିବ । ତେବେ ଋଷଭଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ, କାରଣ ବିଦେଶୀ ମାଟିରେ ସେ ଦମଦାର ପ୍ରଦର୍ଶନ କରିବାରେ ମାହିର ଅଛନ୍ତି ।

Get real time updates directly on you device, subscribe now.