fbpx

(Video) ରତ୍ନ ଭଣ୍ଡାରକୁ କେଉଁଠୁ ଆସିଲା ଏତେ ସୁନା ଅଳଙ୍କାର? ମହଣ ମହଣ ସୁନାରେ ଭରିଛି ଭଣ୍ଡାର

ଓଡ଼ିଶା ଭାସ୍କର: ୪୬ ବର୍ଷ ଅପେକ୍ଷା ପରେ ଆଜି ଖୋଲିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର । ମନ୍ଦିରର ଶ୍ରୀଜୀଉ ଚତୁର୍ଦ୍ଧାମୁରତୀ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ରତ୍ନଭଣ୍ଡାର କୋଲିଛନ୍ତି ଶ୍ରୀମନ୍ଦିରର ଟ୍ରଷ୍ଟ ଏବଂ ସରକାର । ରତ୍ନଭଣ୍ଡାରର ଚାବି କାମ ନ କରିବାରୁ ଏହାକୁ ଭାଙ୍ଗି ରତ୍ନଭଣ୍ଡାର ଖୋଲାଯାଇଛି । ତେବେ ଏହାଭିତରେ ମହଣ ମହଣ ସୁନା, ରୂପା ଅଳଙ୍କାର ସହ ହୀରା, ମୋତି-ମାଣିକ ରହିଥିବା କୁହାଯାଏ । ତେବେ ଭଣ୍ଡାର ଭିତରକୁ ଯାଇଥିବା ସଦସ୍ୟ ବାହାରକୁ ଆସିଲେ ଏହାର ସ୍ପଷ୍ଟ ସୂଚନା ମିଳିପାରିବ । କିନ୍ତୁ ପ୍ରଶ୍ନ ଉଠେ, ମନ୍ଦିରର ଭଣ୍ଡାରରେ ଏତେ ସୁନା, ଅଳଙ୍କାର ଆସିଲା କେଉଁଠୁ?

 ଜଗାର ଭଣ୍ଡାର ଘର ଆଗରୁ ଖାଲି ଥିଲା । ହେଲେ ସମୟର ସହ ଭଣ୍ଡାର ଘରେ ଭରି ଚାଲିଥିଲା ସୁନା ଅଳଙ୍କାର । ଯାହା ପରେ ଭଣ୍ଡାର ଘରର ନାଁ ହୋଇଥିଲା ରତ୍ନଭଣ୍ଡାର । ଏହି ଅଳଙ୍କାର କଣ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ନା ଆଉ କାହାର? ଜଗନ୍ନାଥ କଣ ଏହି ସବୁ ସୁନାକୁ ନିଜେ ନେଇକି ଆସିଥିଲେ? ଏମିତି ସବୁ ପ୍ରଶ୍ନର ଉତ୍ତର ଆପଣମାନେ ଖୋଜୁଥିବେ । ଯାହାର ଉତ୍ତର ଆମେ ଆଜି ଏଠାରେ କହିବୁ ଅଳଙ୍କାର ସବୁ କେଉଁଠୁ ଆସିଲା?

ମହାପ୍ରଭୁଙ୍କର ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜ । ଏହି ଗଜପତି ମହାରାଜ ମାନେ ବିଭିନ୍ନ ରାଜ୍ୟ ଜୟ କରି ଆଣୁଥିବା ଧନରତ୍ନକୁ ଭକ୍ତି ନୈବେଦ୍ୟ ସ୍ୱରୁପ ମହାପ୍ରଭୁଙ୍କୁ ଭେଟି ଦିଅନ୍ତି । ଖାଲି ଗଜପତି ମହାରାଜ ନୁହଁନ୍ତି, ବହୁ ଭକ୍ତମାନେ ମହାପ୍ରଭୁଙ୍କୁ ସୁନା ଅଳଙ୍କାର ଦାନ କରିଥିଲେ  । ମାଦଳା ପାଞ୍ଜି ତଥ୍ୟ ମୁତାବିକ ରାଜା ଅନଙ୍ଗଭୀମ ଦେବ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ପ୍ରସ୍ତୁତି ନିମନ୍ତେ ୨ ଲକ୍ଷ ୫୦ ହଜାର ମାଢ଼ ସୁନା ଦାନ କରିଥିଲେ । ଏକ ମାଢ଼ ହେଉଛି ୧/୨ ତୋଳା ବା ୫.୮୩୧୯ ଗ୍ରାମ ।

ସେହିପରି ରାଜ୍ୟର ସୂର୍ଯ୍ୟବଂଶୀ ରାଜାମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରତ୍ନ ଅଳଙ୍କାର ଓ ସ୍ୱର୍ଣ୍ଣ ଦାନ କରିଥିଲେ । ଶ୍ରୀମନ୍ଦିର ଦିଗବିଜୟ ଦ୍ୱାର କାନ୍ଥରେ ଥିବା ଶିଳାଲେଖ ଅନୁଯାୟୀ ଗଜପତି କପିଳେନ୍ଦ୍ର ଦେବ ୧୪୬୬ ଖ୍ରୀଷ୍ଟାବ୍ଦରେ ପ୍ରଚୁର ସୁନା ଓ ରତ୍ନ ଅଳଙ୍କାର ସମେତ ବାସନ ଦାନ କରିଥିଲେ । ବିଶିଷ୍ଟ ଐତିହାସିକ ଆର.ଡି ବାନାର୍ଜୀଙ୍କ ‘ହିଷ୍ଟ୍ରି ଅଫ ଓଡ଼ିଶା’ ପୁସ୍ତକର ପୃଷ୍ଠା ୩୦ରେ ୧୪୬୬ ଖ୍ରୀଷ୍ଟାବ୍ଦରେ ବହୁ ରତ୍ନ ଦାନ ସୂତ୍ରରେ ଶ୍ରୀମନ୍ଦିରକୁ ଦିଆଯାଇଥିବା ଉଲ୍ଲେଖ ରହିଛି ।

ଏହି ସବୁ ରତ୍ନକୁ ଚୋରି କରିବାକୁ ଅନେକ ବାର ଆକ୍ରମଣ ହୋଇଛି । ସେତେବେଳର ମୁସଲମାନ ଶାସକ ମାନେ ରତ୍ନଭଣ୍ଡାର ଉପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲେ । ରତ୍ନ ଭଣ୍ଡାର ଉପରେ ମଧ୍ୟ୧୫ ଥର ଆକ୍ରମଣ ହୋଇଛି  । ୧୪୫୧ ମସିହାରେ ପ୍ରଥମ ଥର ଆକ୍ରମଣ ହୋଇଥିବା ବେଳେ ୧୭୩୧ ମସିହାରେ ଶେଷ ଥର ଆକ୍ରମଣ ହୋଇଥିଲା । ଶେଷ ଥର ମହମ୍ମଦ ତକି ଖାଁ ରତ୍ନଭଣ୍ଡାରକୁ ଲୁଟ କରିବା ପାଇଁ ଆକ୍ରମଣ କରିଥିଲା ।

Get real time updates directly on you device, subscribe now.