fbpx
BJD SKY
BJD SKY

କୁଆଡ଼େ ଗଲେ ବାହାନଗା ଷ୍ଟେସନ ASM? ଜିଆରପି ଥାନାରେ ଦାୟର ହେଲା ମାମଲା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଛି । ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଜ୍ୟପାଳଙ୍କ ସହିତ ଅନ୍ୟ ରାଜନେତାମାନେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିସାରିଛନ୍ତି । ଏଥିସହିତ କେନ୍ଦ୍ର, ବିଭିନ୍ନ ରାଜ୍ୟ ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ଏଏସଏମ)ଙ୍କ କୌଣସି ସନ୍ଧାନ ମିଳୁନାହିଁ । ଦୁର୍ଘଟଣା ଘଟିବା ପରଠାରୁ ସେ ଫେରାର ରହିଥିବା ଜଣାପଡ଼ିଛି । ଏ ବାବଦରେ ଜିଆରପି ଥାନାରେ ଏକ ମାମଲା ଦାୟର ହୋଇଛି । ସାଧାରଣ ଭାବେ ଗୋଟିଏ ଟ୍ରେନ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଏସଏମଙ୍କ ନିକଟରେ ରହିଥାଏ । ତେଣୁ ଗୋଟିଏ ପଟେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇ କାନ୍ଦୁଥିବା ବେଳେ ଏଭଳି ସ୍ଥିତିରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଫେରାର ହେବା ନେଇ ପ୍ରଶ୍ନ ଉଠିଛି ।

ସୂଚନା ଯୋଗ୍ୟ ଯେ, ଏହି ଦୁର୍ଘଟଣା ପରେ ରେଳବାଇର ସୁରକ୍ଷା ‘କବଚ’କୁ ନେଇ ପ୍ରଶ୍ନ ଉଠିଥିଲା । ବାହାନଗା ରୁଟରେ କବଚ ବ୍ୟବସ୍ଥା ନଥିବା ନେଇ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେଣୁ ଏହି କବଚ ଥିଲେ ଏତେବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା କି ବୋଲି ପ୍ରଶ୍ନ ଉଠିଥିଲା । ଏପରିକି ଏହି ମାମଲାରେ ରେଲୱେ ଉପରେ ବର୍ଷିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.