fbpx
BSKY SKY
BSKY SKY

୪ ବର୍ଷ ବୟସରେ ୬୫ କିଲୋମିଟର୍ ରେସ୍ ଦୌଡ଼ିଥିବା ବୁଦ୍ଧିଆ ସିଂ ଏବେ କେଉଁଠି?

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଦ୍ଧିଆ ସିଂ, ନାଁଟି ନିଶ୍ଚୟ ମନେ ଥିବ । ୨୦୦୬ ମସିହାରେ ୪ ବର୍ଷ ବୟସରେ ବୁଦ୍ଧିଆ ସଂ ପୁରୀରୁ ଭୁବନେଶ୍ୱର ମଧ୍ୟରେ ପୂରା ୬୫ କିମି ରେସ୍ ପୂରା କରିଥିଲେ । ଆଉ ତାପରେ ଏକ ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ । ସେତେବେଳେ ସେ ଦେଶର ଦ୍ୱିତୀୟ ମିଲଖା ସିଂ ହେବେ ବୋଲି କୁହାଯାଇଥିଲା । ଆଉ ଦେଶ ପାଇଁ ସେ ଦିନେ ଗର୍ବ ଗୌରବ ଆଣିବେ ବୋଲି ଆଶା କରାଯାଇଥିଲା । ହେଲେ ସେ ଏବେ କେଉଁଠି? କଣ ହଜିଗଲା ତାଙ୍କର ପ୍ରତିଭା? ପ୍ରତିଭା ମଉଳିବା ପଛରେ କଣ ରହିଛି କାରଣ?

 

ବୁଦ୍ଧିଆ ସିଂ ଏବେ ଖେଳ ଠାରୁ ଦୂରକୁ ଚାଲିଯାଇଛନ୍ତି । ତାଙ୍କ ବିଧବା ମା ଏବଂ ଦୁଇ ଭଉଣୀ ଭୁବନେଶ୍ୱରର ଭରତପୁରର ଏକ ଛୋଟ କୋଠରୀରେ ରୁହନ୍ତି । ଗତ କିଛି ବର୍ଷ ଧରି ବୁଦ୍ଧିଆଙ୍କୁ କେହି ବି ଦୌଡ଼ିବା ଦେଖି ନାହାନ୍ତି । ତାଙ୍କ ପରିବାରର ସଦସ୍ୟଙ୍କ କହିବା କଥା ହେଲା ସମସ୍ତେ ତାଙ୍କ ସହିତ ଧୋକା କରିଛନ୍ତି । ବୁଦ୍ଧିଆଙ୍କ ବଡ଼ ଭଉଣୀ ରଶ୍ମୀ କହିଛନ୍ତି, ‘ମୋ ଭାଇ ସ୍ନାତକୋତ୍ତର ପାଇଁ ଦିଲ୍ଲୀରେ ଅଛନ୍ତି। ତାଙ୍କ କୋଚ୍ ବିରଞ୍ଚି ଦାସଙ୍କ ଠାରୁ ଆରମ୍ଭ କରି ଓଡିଶା ସରକାର ପର୍ୟ୍ୟନ୍ତ ସମସ୍ତେ ତାଙ୍କ ସହ ଧୋକା କରିଛନ୍ତି । ସେଥିପାଇଁ ସେ ଏଠାରେ ରହିବାକୁ ଚାହୁଁନଥିଲେ। ସେ ବଡ଼ ମାରାଥନ୍ ଧାବକ ହୋଇପାରିଥାନ୍ତା । କିନ୍ତୁ ମୋ ଭାଇକୁ କେବଳ ବ୍ୟବହାର କରାଗଲା ଏବଂ ପରେ ସମସ୍ତେ ତାଙ୍କୁ ଭୁଲିଗଲେ” ।

ରଶ୍ମୀ ଆହୁରି କହିଛନ୍ତି, ‘ସରକାର ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେ ଏକ ଉପଯୁକ୍ତ ଘର ମଧ୍ୟ ମିଳିପାରିଲା ନାହିଁ । ଆମେ ଭଡ଼ାରେ ଘର ନେଇ ରହୁଛୁ । ଏଠାରେ କେହି ବି ରହିପାରିବେ ନାହିଁ” । ରଶ୍ମୀ ଏବଂ ତାଙ୍କ ମା ସୁକାନ୍ତୀ ଏକ ଇଞ୍ଜିନିୟରିଂ କଲେଜରେ କାମ କରନ୍ତି । ବୁଦ୍ଧିଆ ସିଂ ମେ-ଜୁନ୍ ମାସରେ ଘରକୁ ଆସିଥିଲେ। ବୁଦ୍ଧିଆ ଫୋନରେ କହିଥିଲେ, ‘ ଆପଣ ମାନେ ମୋ ଅତୀତ ସମ୍ପର୍କରେ କହିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ମୁଁ ସେ ବିଷୟରେ କଥା ହେବାକୁ ଚାହୁଁନି । ମୁଁ ସବୁକିଛି ଭୁଲି ଯାଇଛି” । ଏହାସହ ସେ ନିଜର ପାଠ ପଢ଼ା ସମ୍ପର୍କରେ କହିବାକୁ ମନା କରିଦେଇଥିଲେ ।

ବୁଦ୍ଧିଆ ସିଂ ୨୦୦୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ଦେହାନ୍ତ ପରେ ତାଙ୍କୁ ତାଙ୍କ ମାଆ ଜଣେ ଫେରିବାଲାକୁ ବିକ୍ରି କରିଦେଇଥିଲେ । ହେଲେ ପରେ ଗୋଟିଏ ଆସୋସିଏସନ୍ ସହାୟତାରେ ପୁଣି ଥରେ ଘରକୁ ଫେରିଥିଲେ । ବୁଦ୍ଧିଆଙ୍କର ଦୌଡ଼ର କାହାଣୀ ଖୁବ୍ ରୋଚକ । ସେ ୬୫ କିମିର ରେସ୍ ରେ ଦୌଡ଼ି ଏକ ନୂଆ ରେକର୍ଡ ନିଜ ନାମରେ କରିଥିଲେ । ସେ କୋଚ୍ ବିରଞ୍ଚି ଦାସଙ୍କ ଅଧୀନରେ ଟ୍ରେନିଂ ନେଉଥିଲେ । ସେହି ସମୟରେ ବିରଞ୍ଚିଙ୍କ ଉପରେ ପିଲାମାନଙ୍କୁ ଶୋଷଣ ଅଭିଯୋଗ ଲାଗିଥିଲା । ପରେ ତାଙ୍କୁ ହତ୍ୟା କରିଦିଆଯାଇଥିଲ।।

ଭୁବନେଶ୍ୱରର ସାଇ ହଷ୍ଟେଲରେ ବୁଦ୍ଧିଆଙ୍କ ପ୍ରଦର୍ଶନ ଭଲ ନଥିଲା। ସେ ସ୍ପ୍ରିଣ୍ଟ ଇଭେଣ୍ଟ ପସନ୍ଦ କରୁନଥିଲେ ଏବଂ ଅନ୍ୟ ଇଭେଣ୍ଟରେ ପଛରେ ପଡିଯାଇଥିଲେ । ଖାଦ୍ୟର ଗୁଣବତ୍ତା ଏବଂ ତାଲିମ ବିଷୟରେ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ବିବାଦ ପରେ ସେ ହଷ୍ଟେଲ ଛାଡିଥିଲେ। ଓଡିଶା କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତୀ ବେହେରା କହିଛନ୍ତି ଯେ ତାଙ୍କ ପରିବାର ସରକାରଙ୍କ ସହ ଥିବା ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରିଦେଇଥିଲେ । ତାଙ୍କ ମା ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅଙ୍କ ଶୋଷଣ କରାଯାଉଛି।

Get real time updates directly on you device, subscribe now.