fbpx

କୁଆଡ଼େ ଗଲେ ମୁକେଶ କୁମାର? ଟେଷ୍ଟ ସିରିଜ ଅଧାରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ଷ୍ଟାର ବୋଲର ମୁକେଶ କୁମାର ଖୁବ କମ୍ ଦିନ ଭିତରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲର ପାଲଟିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରେ ଏବେ ନିଜ ଦବଦବା ଆରମ୍ଭ କରୁଛନ୍ତି ମୁକେଶ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ୟରେ ସେ ନିଜ ବୋଲିଂର ଜଲୱା ଦେଖାଇଥିଲେ । କିନ୍ତୁ ତୃତୀୟ ଟେଷ୍ଟରେ ଅଚାନକ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭଲ ପ୍ରଦର୍ଶନ ପରେ ମଧ୍ୟ ଦଳରୁ ବାଦ୍ ପଡ଼ିବାର କାରଣ ବର୍ତ୍ତମାନ ସାମନାକୁ ଆସିଛି ।

ଟିମ ଇଣ୍ଡିଆର ଷ୍ଟାର ବୋଲର ମୁକେଶ କୁମାର ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ ନାହାନ୍ତି । ତେବେ ବର୍ତ୍ତମାନ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହାର କାରଣ ଦର୍ଶାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ରିପୋର୍ଟ ଅନୁସାରେ, ଫେବୃଆରୀ ୧୬ ତାରିଖରେ ବିହାର ବିପକ୍ଷରେ ହେବାକୁ ଥିବା ରଣଜୀ ମ୍ୟାଚ ପାଇଁ ବେଙ୍ଗଲ ଦଳ ସହ ସାମିଲ ହେବେ ମୁକେଶ । ତେଣୁ ଟିମ ଇଣ୍ଡିଆରୁ ବିରତୀ ନେଇ ସେ ବେଙ୍ଗଲ ସହ ଏହି ରଣଜୀ ମ୍ୟାଚ ଖେଳିବାକୁ ଯାଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ରାଞ୍ଚିରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ ସହ ମୁକେଶ ସାମିଲ ହେବେ ବୋଲି ଜାଣିବାକୁ ମିଳିଛି ।

ବିସିସିଆଇ ନିଜ ବୟାନରେ କହିଛି ଯେ, ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ମୁକେଶଙ୍କୁ ରିଲିଜ କରି ଦିଆଯାଇଛି । ସେ ରଣଜୀ ଟ୍ରଫିରେ ବିହାର ବିପକ୍ଷ ମ୍ୟାଚ ପାଇଁ ବେଙ୍ଗଲ ଦଳ ସହ ସାମିଲ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ତାଙ୍କ ସ୍ଥାନରେ ମୁକେଶଙ୍କୁ ଦଳରେ ସୁଯୋଗ ମିଳିଥିଲା । ତେବେ ଏହି ମ୍ୟାଚରେ ସେ ବିଶେଷ ଭଲ ପ୍ରଦର୍ଶନ କରି ପାରିନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୩ଟି ଟେଷ୍ଟରୁ ୭ଟି ୱିକେଟ ଅକ୍ତିଆର କରିଛନ୍ତି ମୁକେଶ କୁମାର ।

ତୃତୀୟ ଟେଷ୍ଟରେ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ୍, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ।

Get real time updates directly on you device, subscribe now.