fbpx

‘ଏକ ଦେଶ- ଏକ ନିର୍ବାଚନ’: କମିଟିର ପ୍ରଥମ ବୈଠକରେ କ’ଣ ନିଷ୍ପତ୍ତି ନିଆଗଲା

Advertisement

ନୂଆଦିଲ୍ଲୀ: ‘ଏକ ଦେଶ- ଏକ ନିର୍ବାଚନ’କୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜନୈତିଳ ଦଳ ଓ ଆଇନ ଆୟୋଗଙ୍କ ପରାମର୍ଶ ଓ ରାୟ ନେବାକୁ କମିଟିରେ ନିଷ୍ପତ୍ତି ନିଆଯାଇଛି । ପରାମର୍ଶ ନେବା ପରେ କମିଟି ଏନେଇ ସରକାରଙ୍କ ନିକଟରେ ସୁପାରିଶ କରିବ ।

ଦେଶରେ ଲୋକସଭା, ବିଧାନସଭା ଓ ସ୍ଥାନୀୟ ନଗର ନିଗମ ନିର୍ବାଚନ ଏକସଙ୍ଗେ କରିବା ନେଇ ରାଜନୈତିକ ଦଳ ଓ ଆଇନ ଆୟୋଗଙ୍କର ମତାମତ ଲୋଡ଼ା ଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଲୋକସଭାର କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ଉକ୍ତ ବୈଠକରେ ସାମିଲ ହୋଇନଥିଲେ । କମିଟି ଗଠନ ହେବା ପରେ ଅଧୀର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବା କମିଟିରେ ରହିବା ନେଇ ଅଗ୍ରାହ୍ୟ କରିଦେଇଥିଲେ ।

ମାନ୍ୟତାପ୍ରାପ୍ତ ରାଷ୍ଟୀୟ ଦଳ, ରାଜ୍ୟଗୁଡ଼ିକରେ କ୍ଷମତାସୀନ ଦଳ, ସଂସଦରେ ନିଜର ପ୍ରତିନିଧିତ୍ୱ ରଖୁଥିବା ଦଳ, ଅନ୍ୟ ମାନ୍ୟତାପ୍ରାପ୍ତ କ୍ଷେତ୍ରୀୟ ଦଳ ଓ ଆଇନ ଆୟୋଗଙ୍କଠାରୁ ପରାମର୍ଶ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କଶ୍ୟପ, ପୂର୍ବତନ ଭିଜିଲାନ୍ସ ଆୟୁକ୍ତ ସଞ୍ଜୟ କୋଠାରୀ, ବରିଷ୍ଠ ଓକିଲ ହରିଶ ସାଲଭେ ବୈଠକରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ‘ଏକ ଦେଶ- ଏକ ନିର୍ବାଚନ’ ଲାଗୁହେଲେ ଜନତାଙ୍କର ଅର୍ଥର ଅପଚୟ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ।

Get real time updates directly on you device, subscribe now.