fbpx

ସଂସଦର ସୁରକ୍ଷା ଦାୟିତ୍ୱରେ କେଉଁମାନେ ନିୟୋଜିତ ? କେତେଟା ସ୍ତରରେ ହୋଇଥାଏ ଚେକିଂ….

Advertisement

ବୁଧବାର ଲୋକସଭା ସଂସଦରେ ଘଟିଥିବା ନିନ୍ଦନୀୟ ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି । ସଂସଦର କଡ଼ା ସୁରକ୍ଷାବଳୟ ଭେଦି ୨ ଜଣ ଯୁବକ ଲୋକସଭାକୁ ପଶି ଆସିଥିଲେ । ଏହା ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ କ’ଣ ଆପଣମାନେ ଜାଣିଛନ୍ତି ସଂସଦରେ କେତେ ସ୍ତରର ସୁରକ୍ଷା ବଳୟ ରହିଛି ? ସଂସଦର ସିକ୍ୟୁରିଟି ଦାୟିତ୍ୱ କାହାକୁ ଦିଆଯାଇଛି ? କୌଣସି ବ୍ୟକ୍ତି ସଂସଦ ଭିତରକୁ ଗଲେ କେତେଥର ଯାଞ୍ଚ କରାଯାଏ ? ଆସନ୍ତୁ ଜାଣିବା ଏ ବିଷୟରେ:
ସଂସଦର ସୁରକ୍ଷା ଦାୟିତ୍ୱ ପାର୍ଲାମେଣ୍ଟର ସିକ୍ୟୁରିଟି ସର୍ଭିସ(PSS), ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ୍‌(PDG), ସୁରକ୍ଷା ଏଜେନ୍ସି ଏବଂ ଦିଲ୍ଲୀ ପୋଲିସର ଦୟିତ୍ୱ ଅଟେ । ସିସିଟିଭି କ୍ୟାମେରା ଅଧିକାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସଂସଦର ଭିଜିଟର୍ସ ଗ୍ୟାଲେରି ପର୍ଯ୍ୟନ୍ତ ପହଞ୍ଚିବା ଏତେ ସହଜ ନୁହେଁ । ସଂସଦ ଭବନ ଭିତରେ ପ୍ରାୟ ୨ ହଜାରରୁ ଅଧିକା ସୁରକ୍ଷାକର୍ମୀ ବିଭିନ୍ନ ସ୍ତରରେ ନିୟୋଜିତ ହୋଇଥାନ୍ତି ଯାହାକୁ ମଲ୍ଟିଲେୟାର ସୁରକ୍ଷା କବଚ ବି କୁହାଯାଇପାରିବ । ଏଥିରେ ଏଲିଟ୍ ସୁରକ୍ଷା ଏଜେନ୍ସିର ଅଫିସର ଏବଂ ଜବାନଙ୍କ ବ୍ୟତୀତ ସଂସଦର ସିକ୍ୟୁରିଟି ଗ୍ରୁପ ସାମିଲ ଅଛି ଯେଉଁମାନେ ପ୍ରତ୍ୟେକ ବ୍ୟକ୍ତିଙ୍କର କଡ଼ାକଡ଼ି ଭାବରେ ଯାଞ୍ଚ କରିଥାନ୍ତି ।

– ସୁରକ୍ଷା ବଳୟର ୧ମ ଘେରା: ସଂସଦ ନିରାପତ୍ତାର ବାହ୍ୟ ଘେରାରେ ଦିଲ୍ଲୀ ପୋଲିସର ଜବାନମାନେ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ସେମାନଙ୍କର ତୀକ୍ଷ୍ମ ନଜର ରହିଥାଏ । ଭିଭିଆଇପି ଲୋକମାନଙ୍କୁ କଡ଼ା ସୁରକ୍ଷା ଯୋଗାଇବା ଠାରୁ ଏସ୍କର୍ଟ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥାନ୍ତି ।

– ସୁରକ୍ଷା ବଳୟର ୨ୟ ଘେରା: ସଂସଦର ଆଖପାଖରେ ITBP, ଏଜେନ୍ସି ଏବଂ CRPF କମାଣ୍ଡୋମାନଙ୍କ ସହ ଦିଲ୍ଲୀ ପୋଲିସର ଏଣ୍ଟି ଟେରୋରିଷ୍ଟ ସ୍ୱାଟ୍ ଦଳ ଏଠାରେ ନିୟୋଜିତ ଥାନ୍ତି । ଦିଲ୍ଲୀ ପୋଲିସର କମାଣ୍ଡୋ ଅସ୍ତ୍ରଶସ୍ତ୍ର ଏବଂ ଯାନ ସହ ସେଠାରେ ରୁହନ୍ତି ।

– ସୁରକ୍ଷା ବଳୟର ୩ୟ ଘେରା: ଏଥିରେ CRPF ର ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ ସାମିଲ ଅଛନ୍ତି । ଏହି ଗ୍ରୁପର ଅଧିକାଂଶ ସୁରକ୍ଷାକର୍ମୀ ପାରାମିଲିଟାରୀ ଫୋର୍ସରୁ ସ୍ପେଶାଲ କମାଣ୍ଡୋ ଟ୍ରେନିଂ ପାଇଁ ଯୋଗ ଦେଇଥାନ୍ତି ।

– ସୁରକ୍ଷା ବଳୟର ୪ର୍ଥ ଘେରା: ଏହି ସ୍ତରରେ ପାର୍ଲାମେଣ୍ଟର ସିକ୍ୟୁରିଟି ସର୍ଭିସ ନିଯୁକ୍ତ ଥା’ନ୍ତି । ଏମାନେ ଲୋକସଭା ଏବଂ ରାଜ୍ୟସଭାରେ ସଂସଦର ସୁରକ୍ଷା ଦାୟିତ୍ୱ ତୁଲାଇଥାନ୍ତି । ଭିଜିଟର୍ସ ପାସରେ ଆସିଥିବା ବ୍ୟକ୍ତି, ମିଡ଼ିଆ କର୍ମୀ ଏବଂ ଅନ୍ୟ ଗତିବିଧି ଉପରେ କଡ଼ା ନଜର ରଖିଥାନ୍ତି ।

ଏହା ବ୍ୟତୀତ ସଂସଦର ଇଣ୍ଟେଗ୍ରେଟେଡ୍ ସିକ୍ୟୁରିଟି ସିଷ୍ଟମରେ ଶତାଧିକ ସିସିଟିଭି କ୍ୟାମେରା ରହିଛି । ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ଏକ କଂଟ୍ରୋଲ ରୁମରୁ ଲାଇଭ୍ ଫିଡ୍ ଉପରେ ନଜର ରଖିଥାନ୍ତି । ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ନିୟୋଜିତ ମାର୍ଶାଲ ପାର୍ଲାମେଣ୍ଟର ସିକ୍ୟୁରିଟି ସର୍ଭିସକୁ ରିପୋର୍ଟ କରିଥାନ୍ତି । ଲୋକସଭା ସଚିବାଳୟରେ ଯୁଗ୍ମ ସଚିବ(ସୁରକ୍ଷା) ସଂସଦ ସୁରକ୍ଷାର ମୁଖ୍ୟ ଅଟନ୍ତି ।

Get real time updates directly on you device, subscribe now.