fbpx

ଲୋକସଭା ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ରହିଛି ଏହି ମହିଳା ସାଂସଦଙ୍କ ନାମ, ‘ଦକ୍ଷିଣର ସୁଷମା ସ୍ୱରାଜ’ ଭାବରେ ରହିଛି ପରିଚିତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଗାତର ତୃତୀୟ ଥର ଏନଡିଏ ସରକାର ଗଢିଛି । ରବିବାର ପ୍ରଧାନମନ୍ତ୍ରୀଙ୍କ ସହିତ ମୋଟ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଏହି ମନ୍ତ୍ରୀଙ୍କ ତାଲିକାରୁ ଆନ୍ଧ୍ରପ୍ରଦେଶର ଏକ ବଡ ନାମ ଗାଏବ ହୋଇଯାଇଛି । ଏହି ନାମ ହେଉଛି ଆନ୍ଧ୍ରପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ରାଜମୁନ୍ଦ୍ରୀ ସାଂସଦ ଦଗୁବାଟ୍ଟୀ ପୁରନ୍ଦେଶ୍ୱରୀଙ୍କର । ଏବେ ଚର୍ଚ୍ଚା ହେଉଛି କି ବିଜେପି ପୁରନ୍ଦେଶ୍ୱରୀଙ୍କୁ ବଡ କିଛି ଦାୟିତ୍ୱ ଦେବାକୁ ଯୋଜନା କରିଛି । ଅନୁମାନ ଲଗାଯାଉଛି କି ପୁରନ୍ଦେଶ୍ୱରୀଙ୍କୁ ଅଷ୍ଟାଦଶ ଲୋକସଭାର ଅଧ୍ୟକ୍ଷ କରିବାକୁ ଯୋଜନା କରୁଛି ବିଜେପି । ଲୋକସଭା ବାଚସ୍ପତି ରେସ୍‌ରେ ସେ ସବୁଠାରୁ ଆଗରେ ଅଛନ୍ତି ।

ଯଦି ପୁରନ୍ଦେଶ୍ୱରୀଙ୍କୁ ଲୋକସଭା ଅଧ୍ୟକ୍ଷ ଭାବରେ ଚୟନ କରାଯିବ ତେବେ ସେ ଏହି ପଦକୁ ସମ୍ଭାଳିବାରେ ଆନ୍ଧ୍ରର ଦ୍ୱିତୀୟ ସାଂସଦ ହେବେ । ତାଙ୍କ ପୂର୍ବରୁ ଅମଲାପୁରମର ପୂର୍ବତନ ସାଂସଦ ଗନ୍ତି ମୋହନ ଚନ୍ଦ୍ର ବାଲଯୋଗୀ ଦ୍ୱାଦଶ ଲୋକସଭାର ଅଧ୍ୟକ୍ଷ ରହି ଆସିଛନ୍ତି । ୨୦୦୨ରେ ଲୋକସଭା ବାଚସ୍ପତି ରହିଥିବା ବାଲଯୋଗୀଙ୍କରଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା ।

ପୁରନ୍ଦେଶ୍ୱରୀ ୨୦୨୩ରୁ ଆନ୍ଧ୍ରପ୍ରଦେଶ ବିଜେପିର ଅଧ୍ୟକ୍ଷ ରହି ଆସୁଛନ୍ତି । ସେ ତେଲଗୁ ଦେଶମ ପାର୍ଟି(ଟିଡିପି)ର ପ୍ରତିଷ୍ଠାତା ଏନଟିଆର୍‌ଙ୍କ କନ୍ୟା । ୨୦୨୪ରେ ନିର୍ବାଚନ ଲାଗି ଆନ୍ଧ୍ରରେ ବିଜେପିର ଟିଡିପି ଓ ଜନସେନା ସହ ମେଣ୍ଟ କରାଇବାରେ ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲୋକସଭା ନିର୍ବାଚନରେ ଆନ୍ଧ୍ରରୁ ଏନଡିଏର ୨୧ ସାଂସଦ ବିଜୟୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬ ଟିଡିପି, ୩ ବିଜେପି ଓ ୩ ଜନସେନାର ଅଟନ୍ତି । ସେହିପରି ବିଧାନସଭା ନିର୍ବାଚନରେ ଏନ୍‌଼ଡିଏ ୧୭୫ରୁ ୧୬୪ ସିଟ୍ ଜିତିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପୁରନ୍ଦେଶ୍ୱରୀ ବିଜେପିରେ ଯୋଗ ଦେବା ପୂର୍ବରୁ ୨୦୦୪ ଓ ୨୦୦୯ରେ କଂଗ୍ରେସରୁ ପ୍ରତିନିଧିତ୍ୱ କରିଥିଲେ । ୨୦୧୪ରେ ସେ କଂଗ୍ରେସରୁ ଇସ୍ତପା ଦେଇଥିଲେ । ପୁରନ୍ଦେଶ୍ୱରୀ ନିଜ ଭାବପୂର୍ଣ୍ଣ ଓ ଦମଦାର ଭାଷଣ ଲାଗି ‘ଦକ୍ଷିଣର ସୁଷମା ସ୍ୱରାଜ’ ଭାବରେ ପରିଚିତ ।

Get real time updates directly on you device, subscribe now.