ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ଏକ ବଡ଼ ଧରଣର ସୁରକ୍ଷା ଅବହେଳା ଘଟଣା ଦେଖିବାକୁ ମିଳିଛି । ଲୋକସଭାରେ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ ଯୁବକ ପ୍ରବେଶ କରିଥିଲେ । ଏହି ଘଟଣା ପରେ ସଙ୍ଗେସଙ୍ଗେ ବାଚସ୍ପତି ଓମ ବିର୍ଲା ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ସଂସଦ ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ଏହି ଯୁବକମାନେ କିପରି ଗୃହ ମଧ୍ୟକୁ ପ୍ରବେଶ କଲେ ତାହା ଏବେ ବଡ଼ ପ୍ରଶ୍ନ ।
ତେବେ ଆଜିର ଏହି ସୁରକ୍ଷା ତ୍ରୁଟି ଜନିତ ଘଟଣାରେ ଏବେ ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି । ଧରାପଡ଼ିଥିବା ଯୁବକମାନଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ପଚରାଉଚରା କରାଯିବ । ତେବେ ଆଜିର ସୁରକ୍ଷା ତ୍ରୁଟିଜନିତ ଘଟଣା ୨୨ ବର୍ଷ ତଳର ବେଦନାସିକ୍ତ କାହାଣୀକୁ ତାଜା କରିଦେଇଛି । ଗତ ୨୦୦୧ ମସିହା ଡିସେମ୍ବର ମାସ ୧୩ ତାରିଖରେ ସଂସଦ ଭବନ ଉପରେ ହୋଇଥିବା ଆକ୍ରମଣରେ ଅନେକ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।
ସେ ସମୟରେ ପାକିସ୍ତାନୀ ଆତଙ୍କବାଦୀମାନେ ଦେଶର ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ । ଗୁଳି, ବାରୁଦର ଗର୍ଜନରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିବା ସହିତ ଏହି ଘଟଣାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ସେହି ଆତଙ୍କବାଦୀ ଆକ୍ରମଣରେ ଦିଲ୍ଲୀ ପୋଲିସର ୯ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଅନ୍ୟପକ୍ଷରେ ସୁରକ୍ଷାକର୍ମୀମାନେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।