fbpx

ଗାନ୍ଧୀ ଜୟନ୍ତୀ: କଣ ସୁଭାଷ ଚନ୍ଦ୍ର ବୋଷଙ୍କ ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ ହେବା ବିରୋଧରେ ଥିଲେ ବାପୁ ?

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟ ପହଞ୍ଚି ଗାନ୍ଧୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ ମାନ୍ୟଗଣ ନେତା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସଂପ୍ରତି କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଟଣାଓଟରା ଜାରି ରହିଛି। ପାର୍ଟି ପ୍ରମୁଖ ପଦ ପାଇଁ ଏହି ଧରଣର ରାଜନୈତିକ ସରଗରମ ଭାରତ ରାଜନୀତି ପାଇଁ ନୂଆ ନୁହେଁ। ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ, ଯେବେ କଂଗ୍ରେସ ଅଧ୍ୟକ୍ଷକୁ ନେଇ ଗାନ୍ଧୀ ଜୀ ଏବଂ ସୁଭାଷଚନ୍ଦ୍ର ବୋଷଙ୍କ ମଧ୍ୟରେ ମତାନ୍ତର ଥିଲା। କଣ ଏହା ସତ କି, ବୋଷ ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ ହେବା ବିରୋଧରେ ବାପୁ ଥିଲେ ?

୧୯୩୮ରେ କଂଗ୍ରେସର ହରିପୁରା ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। କୁହାଯାଏ ଅଧ୍ୟକ୍ଷ ଭାବେ ବୋଷ ସଂଗଠନ ପାଇଁ ବହୁତ ଭଲ ଉଦ୍ୟମ କରିଥିଲେ ଏବଂ ତାଙ୍କ ଉର୍ଜାରେ ସମସ୍ତେ ହତଚକିତ ଥିଲେ। ଏହା ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ମତଭେଦ ଖବର ସାମ୍ନାକୁ ଆସିଥିଲା। ଆଉ ଏହି ମତଭେଦର ସମାଧାନ ବି ହୋଇପାରିନଥିଲା।

ବୋଷ ନିଜର ପତ୍ନୀ ଏମିଲି ଶେଙ୍କଲଙ୍କୁ ଚିଠି ଲେଖିଥିଲେ। ସେ କହିଥିଲେ, ମୁଁ ଆଗାମୀ ବର୍ଷ ପୁଣି ଥରେ ପାର୍ଟିର ଅଧ୍ୟକ୍ଷ ହେବି ନା ନାହିଁ, ଏହାକୁ ନେଇ ସନ୍ଦେହ ରହିଛି। କିଛି ଲୋକ ଗାନ୍ଧୀଜୀଙ୍କ ଉପରେ ଚାପ ପକାଉଛନ୍ତି ଯେ, କୌଣସି ମୁସଲମାନଙ୍କୁ ପାର୍ଟିର ଅଧ୍ୟକ୍ଷ ହେବା ଉଚିତ୍। ଗାନ୍ଧୀଜୀ ବି ଏମିତି ଚାହାନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଏହି ବିଷୟରେ ଗାନ୍ଧୀଜୀଙ୍କ ସହ ଆଲୋଚନା କରିନାହିଁ।

ଅବୁଲ କଲାମ ଆଜାଦ ଥିଲେ ଗାନ୍ଧୀଜୀଙ୍କ ପ୍ରଥମ ପସନ୍ଦ
ଅବୁଲ କଲାମ ଆଜାଦ ଏହି ପଦ ପାଇଁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ପସନ୍ଦ ଥିଲେ ବୋଲି କୁହାଯାଏ। ମାତ୍ର କଲାମ ଅଧ୍ୟକ୍ଷ ହେବାକୁ ମନା କରି ଦେଇଥିଲେ। ଏହା ପରେ ଗାନ୍ଧୀ ପଟ୍ଟାଭି ସୀତାରମୈୟାଙ୍କୁ ପ୍ରାର୍ଥୀ କରିଥିଲୈ। ୧୯୩୯ ଜାନୁଆରୀ ୨୯ରେ ତ୍ରିପୁରୀରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସୁଭାଷ ଚନ୍ଦ୍ର ବୋଷ ବାଜି ମାରିଥିଲେ। ତାଙ୍କୁ ୧୫୮୦ ଭୋଟ୍ ମିଳିଥିବା ବେଳେ ସୀତାରମୈୟାଙ୍କୁ ୧୩୭୭ ଖଣ୍ଡ ଭୋଟ୍ ମିଳିଥିଲା। କୁହାଯାଏ, ଗାନ୍ଧୀ ଜୀ ଏବଂ ପଟେଲ୍ ବହୁ ପ୍ରୟାସ ପରେ ବି ସୀତାରମୈୟାଙ୍କୁ ଜିତାଇ ପାରିନଥିଲେ।

ଗାନ୍ଧୀଜୀ ସାର୍ବଜନୀନ ଭାବେ ଏହାକୁ ନିଜର ପରାଜୟ ମାନିଥିଲେ ଏବଂ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରୁ ଅଲଗା ହୋଇ ଯାଇଥିଲେ। କିଛି ସମୟ ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏବଂ ଅନେକ ସଦସ୍ୟ କାର୍ଯ୍ୟକାରିଣୀ କମିଟିରୁ ଇସ୍ତଫା ଦେଇଥିଲେ। ଏବେ ସୁଭାଷଙ୍କ ପାଇଁ ନିଜ ପଦରେ ରହିବା ମୁସ୍କିଲ ହୋଇ ଯାଇଥିଲା। ଶେଷରେ ୧୯୩୯ରେ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟକାରିଣୀର କଲିକତା ବୈଠକରେ ବୋଷ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ରାଜେନ୍ଦ୍ର ପ୍ରସାଦଙ୍କୁ ପାର୍ଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା।

Get real time updates directly on you device, subscribe now.