fbpx

କିଏ ଏହି ବିଜୟପ୍ରିୟା ନିତ୍ୟାନନ୍ଦ ? ମିଳିତ ଜାତିସଂଘରେ ଭାରତ ନାଁରେ ଆଣିଛନ୍ତି ଅଭିଯୋଗ..

ନୂଆଦିଲ୍ଲୀ : ଭାରତର ସାଧୁ ସନ୍ୟାସୀ ଭଳି ବେଶଭୂଷା, ମୁଣ୍ଡରେ ଭାରୀ କେଶ, କପାଳରେ ଟିକା, ବେକରେ ରୁଦ୍ର ମାଳ ଏବଂ ଗେରୁଆ ବସ୍ତ୍ର । ମିଳିତ ଜାତିସଂଘର ଜେନେଭା କାର‌୍ୟ୍ୟାଳୟରେ ଏମିତି ଜଣେ ମହିଳା ସାଧ୍‌ବୀଙ୍କୁ ଦେଖିବାକୁ ମିଳିଥିଲା, ଯିଏ ଇଂରାଜୀ ଭାଷାରେ ଭାଷଣ ଦେଉଥିଲେ । ଏହାର ଏକ ଭିଡିଓ ସାମ୍ନାକୁ ଆସିଲା ପରେ ଜାଣିବା କଷ୍ଟକର ହୋଇଗଲା ଯେ, ମହିଳା ଜଣଙ୍କ କେଉଁ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ପରେ ପରେ ଯେତେବେଳେ ନିତ୍ୟାନନ୍ଦଙ୍କ ଟ୍ୱିଟର ଆକାଉଣ୍ଟରୁ ତାଙ୍କ ଫଟୋ ପୋଷ୍ଟ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ମହିଳା ଜଣଙ୍କ କେଉଁ ଦେଶ ପାଇଁ ଏବଂ କାହା ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ।

ଭାରତରେ ବଳାତ୍କାରୀ ବାବା ଭାବରେ ପରିଚିତ ତଥା ପଳାତକ ନିତ୍ୟାନନ୍ଦ ବିଶ୍ୱ ସାମ୍ନାରେ ଏକ ନୂଆ ପ୍ରଚାର ପ୍ରସାର ଉଦ୍ୟମ କରିଛି । ନିତ୍ୟାନନ୍ଦ ପ୍ରଥମେ ‘ୟୁନାଇଟେଡ୍ ଷ୍ଟେଟ୍ ଅଫ୍ କୈଳାସ’ ନାମକ ଏକ ନୂତନ ଦେଶ ଗଢିଥିବା ଦାବି କରିଛି । ଯେଉଁଠାରେ କଥିତ ଭାବରେ କେବଳ ହିନ୍ଦୁ ଧର୍ମୀୟ ଲୋକଙ୍କ ପାଇଁ ସ୍ଥାନ ରହିଛି । ବର୍ତ୍ତମାନ ନିତ୍ୟାନନ୍ଦ ନିଜ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଜଣେ ମହିଳାଙ୍କୁ ମିଳିତ ଜାତିସଂଘର ପଠାଇଥିବା ଦାବି କରିଛି । ନିତ୍ୟାନନ୍ଦଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହାର ପ୍ରୋତ୍ସାହନ କରାଯାଉଥିବା ଦେଖିବରାକୁ ମିଳିଛି ।

ମହିଳା ଜଣଙ୍କ ନିଜ ନାଁ ବିଜୟପ୍ରିୟା ନିତ୍ୟାନନ୍ଦ ବୋଲି କହିଥିଲେ । କୈଳାଶ ଭେରିଫାଇଡ୍ ଫେସବୁକ୍ ଆକଉଣ୍ଡ ଅନୁସାରେ ମା’ ବିଜୟପ୍ରିୟା ନିତ୍ୟାନନ୍ଦ କୈଳାଶ ଦେଶର ସ୍ଥାୟୀ ରାଷ୍ଟ୍ରଦୂତ । ମା’ ବିଜୟପ୍ରିୟା ନିତ୍ୟାନନ୍ଦଙ୍କ ବାସସ୍ଥାନ ଆମେରିକାର ୱାଶିଂଗଟନ୍ ଡିସି ସହର ବୋଲି କହିଥିଲେ । ବିଜୟପ୍ରିୟା ନିତ୍ୟାନନ୍ଦଙ୍କ କୈଳାଶ ଦେଶର କୂଟନୀତିଜ୍ଞ ମାନ୍ୟତା ପାଇଛନ୍ତି।

ମାତା ବିଜୟପ୍ରିୟା ନିତ୍ୟାନନ୍ଦଙ୍କ ବ୍ୟତୀତ କାଳ୍ପନିକ ଦେଶ କୈଳାଶରୁ ଆଉ ୫ ଜଣ ମହିଳା ଫେବୃଆରୀ ୨୨ ରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆୟୋଜିତ ଏହି ମିଳିତ ଜାତିସଂଘ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ କୈଳାଶ ସେଣ୍ଟ ଲୁଇ ମୁଖ୍ୟ ସୋନା କାମାଟ, କୈଳାଶ ବ୍ରିଟେନର ମୁଖ୍ୟ ନିତିଆ ଆଟମାଦାୟାକି, କୈଳାଶ ଫ୍ରାନ୍ସ ମୁଖ୍ୟ ନିତ୍ୟ ଭେଙ୍କଟେସାନନ୍ଦ ଏବଂ କୈଳାଶ ସ୍ଲୋଭେନିଆର ମାତା ପ୍ରିୟମ୍ପାରା ନିତ୍ୟାନନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ମିଳିତ ଜାତିସଂଘ ଜେନେଭାରେ ୧୯ତମ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଅଧିକାର ଉପରେ ଏକ ସମ୍ମିଳନୀ ଆୟୋଜନ କରିଥିଲା।

ମିଳିତ ଜାତିସଂଘର ଏହି ସମ୍ମିଳନୀରେ ମାତା ବିଜୟପ୍ରିୟା ନିତ୍ୟାନନ୍ଦ ଦାବି କରିଥିଲେ ଯେ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ବାବା ନିତ୍ୟାନନ୍ଦ ଗୁରୁଙ୍କ ପ୍ରୟାସକୁ ଭାରତରେ ପ୍ରତ୍ୟାଖାନା କରାଯାଇଛି ଏବଂ ଭାରତରେ ବାବା ନିତ୍ୟାନନ୍ଦ ଗୁରୁଙ୍କୁ ନିର‌୍ୟାତନା ଦିଆଯାଇଛି। ନିତ୍ୟାନନ୍ଦ ଏବଂ କୈଳାଶରେ ୨୦ ଲକ୍ଷ ହିନ୍ଦୁ ପ୍ରବାସୀଙ୍କ ଉପରେ ହେଉଥିବା ନିର‌୍ୟାତନାକୁ ରୋକିବା ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କ’ଣ ପଦକ୍ଷେପ ନିଆଯାଇପାରିବ ବୋଲି ବିଜୟପ୍ରିୟା ମିଳିତ ଜାତିସଂଘକୁ ପ୍ରଶ୍ନ କରିଥିଲେ ।

ନିତ୍ୟାନନ୍ଦଙ୍କୁ ସମ୍ବୋଧିତ କରିଥିବା ବିଜୟପ୍ରିୟା କହିଥିଲେ ଯେ ତାଙ୍କ ଗୁରୁ ତାଙ୍କ ପାଇଁ ବହୁତ କିଛି କରିଛନ୍ତି। ବିଜୟପ୍ରିୟା ନିତ୍ୟାନନ୍ଦଙ୍କୁ ତାଙ୍କ ଜୀବନର ଉତ୍ସ ବୋଲି ବର୍ଣ୍ଣନା କରିଛନ୍ତି। ବିଜୟପ୍ରିୟା କହିଛନ୍ତି ଯେ ସେ ନିଜ ଗୁରୁ ଏବଂ କୈଳାଶକୁ କେବେ ଛାଡିବେ ନାହିଁ।

କୈଳାଶର ୱେବସାଇଟ୍ ଅନୁଯାୟୀ, ଆନ୍ତର୍ଜାତୀୟ ଫୋରମରେ ବିଜୟପ୍ରିୟା ନିତ୍ୟାନନ୍ଦ ଏହି କଳ୍ପିତ ଦେଶ ତରଫରୁ ଚୁକ୍ତି ବାଢିଥିଲେ। ମିଳିତ ଜାତିସଂଘରେ ବିଜୟପ୍ରିୟା ଅନେକ ଦେଶର ପ୍ରତିନିଧୀଙ୍କୁ ଭେଟିବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ସେୟାର କରିଛନ୍ତି। ଏକ ଭିଡିଓରେ ବିଜୟପ୍ରିୟା ନିତ୍ୟାନନ୍ଦ କିଛି ଆମେରିକୀୟ ଅଧିକାରୀଙ୍କ ସହ କିଛି ଚୁକ୍ତିନାମା ସ୍ୱାକ୍ଷର କରିଥିବା ଜଣାପଡିଛି। ବିଜୟ ପ୍ରିୟା ଦାବି କରିଛନ୍ତି ଯେ କୈଳାଶ ବିଶ୍ୱର ଅନେକ ଦେଶରେ ନିଜର ଦୂତାବାସ ଏବଂ ଏନଜିଓ ଖୋଲିଛନ୍ତି।

Get real time updates directly on you device, subscribe now.