fbpx
BSKY
BJD MC SKY
BJD MS SKY

ଗ୍ରୀଷ୍ମ ପାଇଁ ଆଗୁଆ ପଦକ୍ଷେପ: ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଖରାରେ କାମ କରିବେନି ଶ୍ରମିକ, କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ଶ୍ରମ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଭୀଷଣ ଗରମ ଅନୁଭୂତ ହେବ । ମାର୍ଚ୍ଚ ମାସ ଆରମ୍ଭରୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହେବ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏପ୍ରିଲ ମାସ ଠାରୁ ଆରମ୍ଭ କରି ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରମିକମାନେ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ।

ସୂଚନା ମୁତାବକ, ଅଂଶୁଘାତରୁ ରକ୍ଷା ପାଇବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ, ରାଜସ୍ୱ କମିଶନର, ରାଜ୍ୟ ଶ୍ରମ କମିଶନରଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପ୍ରାଇଭେଟ ସଂସ୍ଥା, ବାଣିଜ୍ୟ ସଂସ୍ଥା, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ଏଥିପାଇଁ ନିବେଦନ କରାଯାଇଛି । ଜରୁରୀ କାର୍ଯ୍ୟ ତଥା ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ ବ୍ୟକ୍ତିମାନେ ବିଶ୍ରାମ ନେବେ ନାହିଁ । ସେମାନଙ୍କ ପାଇଁ ଥଣ୍ଡା ପାଣି, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରିବାକୁ କୁହାଯାଇଛି ।

ସେହିପରି ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖାଯାଇଛି । ଖରା ପୂର୍ବରୁ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ନିହାତି ଜୁରୀ । ଏଥିସହିତ ଗରମ ଜନିତ ରୋଗରୁ କିପରି ମୁକ୍ତି ମିଳିବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏଥର ଗ୍ରୀଷ୍ମପ୍ରବାହ ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.