fbpx

କିଏ ହେବ କଂଗ୍ରେସ ଅଧ୍ୟକ୍ଷ, ଖଡ଼ଗେ ନା ଥରୁର: ରାଜ୍ୟସଭାର ବିରୋଧୀ ଦଳ ନେତା କିଏ ହେବ, ଗେହଲଟ ହଟିବେ ନା ରହିବେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନକୁ ବରିଷ୍ଠ ନେତା ଦିଗବିଜୟ ସିଂହ ଓହ୍ଲାଇବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ହୋଇଥିବା ବେଳେ ବରିଷ୍ଠ ନେତା ଦିଗବିଜୟ ଏହି ରେସରୁ ଓହରି ଯାଇଛନ୍ତି । ଅନ୍ୟପକ୍ଷରେ ଏଣ୍ଟ୍ରି ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ।

ଏନେଇ ଦିଗବିଜୟ କହିଛନ୍ତି, ମୁଁ ସାରା ଜୀବନ କଂଗ୍ରେସ ପାଇଁ କାର୍ଯ୍ୟ କରି ଆସିଛି ଓ ଆଗକୁ ଏହା ଜାରି ରଖିବି । ଦଳିତ, ଆଦିବାସୀ ଓ ଗରିବଙ୍କ ପାଇଁ ଲଢ଼େଇ କରିବା, ସାମ୍ପ୍ରଦାୟିକ ବାତାବରଣ ଭ୍ରଷ୍ଟକାରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା, ନେହରୁ-ଗାନ୍ଧି ପରିବାର ପ୍ରତି ସମର୍ପିତ ରହିବା, ଏହି ୩ଟି ଜିନିଷ ପ୍ରତି ମୁଁ କେବେ ବି ବୁଝାମଣା କରିପାରିବି ନାହିଁ । ଖଡ଼ଗେ ମୋର ସିନିୟର ଅଟନ୍ତି, ତେଣୁ ସେ ଯଦି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ତେବେ ମୁଁ ତାଙ୍କ ବିରୋଧରେ କଦାପି ଲଢ଼ିପାରିବି ନାହିଁ । ମୁଁ ତାଙ୍କ ସହିତ ରହିଛି ଓ ତାଙ୍କର ପ୍ରସ୍ତାବକ ରହିବି ।

ଖଡ଼ଗେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ନେତା ଅଟନ୍ତି । ଏଥିସହିତ ବିପକ୍ଷ ନେତାଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଗଡ଼ଗେ ଯଦି ଅଧ୍ୟକ୍ଷ ନିର୍ବାଚନରେ ବିଜୟଲାଭ କରନ୍ତି, ତେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦ ବୋଧହୁଏ ତାଙ୍କୁ ଛାଡ଼ିବାକୁ ପଡ଼ିବ । କାରଣ ଏକ ବ୍ୟକ୍ତି, ଏକ ପଦ ହେଉଛି କଂଗ୍ରେସର ସିଦ୍ଧାନ୍ତ । ଅନ୍ୟପକ୍ଷରେ ଶଶି ଥରୁର ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନେଇ କଂଗ୍ରେସର ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଗେହଲଟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିବା ସହ ମୁଖ୍ୟମନ୍ତ୍ରୀ ଛାଡ଼ିବା ସପକ୍ଷରେ ନଥିଲେ । ତେବେ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଏକ ପ୍ରକାରର ସ୍ପଷ୍ଟ ହୋଇସାରିଥିବା ବେଳେ ଆଗକୁ ଗେହଲଟଙ୍କ ସହ କ’ଣ ଘଟିବ । ତାଙ୍କୁ କ୍ଲିନ ଚିଟ୍ ମିଳିଥିଲେ ହେଁ ଦଳର ସୁପ୍ରିମୋ ତାଙ୍କ ଉପରେ ଅନ୍ତରରେ ନାରାଜ ଅଛନ୍ତି ତାହା ଜଳଜଳ ହୋଇ ଦିଶୁଛି । ତେଣୁ ଆଗକୁ ଗେହଲଟଙ୍କୁ ହଟାଇ ସଚିନ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯିବ ନା ଆଉ କିଛି ନୂଆ ସମୀକରଣ ସୃଷ୍ଟିହେବ । ସେହିପରି ଗେହଲଟଙ୍କୁ ହଟାଇବାକୁ ଯାଇ କଂଗ୍ରେସ ପଞ୍ଜାବ, ମଧ୍ୟପ୍ରଦେଶର ଅବସ୍ଥା ଭୋଗିବନି ତ । ତେଣୁ ଏ କ୍ଷେତ୍ରରେ କଂଗ୍ରେସ ଦେଖି ଚାହିଁ ଗୋଟି ଚାଳନା କରିବା ଉଚିତ ।

Get real time updates directly on you device, subscribe now.