fbpx

ଉପ ବାଚସ୍ପତିଙ୍କୁ ନେଇ କାହା ଉପରେ ଭରସା କରିବ ବିଜେପି ? ଚର୍ଚ୍ଚାରେ ଏହି ସବୁ ନାଁ

Advertisement

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ହେଲା ପରେ ଜୁଲାଇ ତୃତୀୟ ସପ୍ତାହରେ ବିଧାନସଭାରେ ଆସିପାରେ ପୂର୍ଣ୍ଣାଙ୍ଗ ବଜେଟ । ବର୍ତ୍ତମାନ ବିଧାନସଭାର ଉପ ବାଚସ୍ପତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଜାଣିବା ବିଧାନସଭା ଉପ ବାଚସ୍ପତି ଦୌଡ଼ରେ କିଏ ସବୁ ସାମିଲ ଅଛନ୍ତି ।

ଦୁଇ ଦୁଇ ଥର ବଡ଼ସାହିରୁ ବିଧାୟକ ହୋଇ ବିଧାନସଭା ଆସିଥିବା ସନାତନ ବିଜୁଳିଙ୍କ ନାଁ ଆଗରେ ରହିଛି । ସନାତନ ବିଜୁଳି ବିଜେପି ବିରୋଧୀ ଦଳରେ ଥିବାବେଳେ ନିଜ ଭାଷଣ ମାଧ୍ୟମରେ ତତକାଳୀନ ବିଜେଡି ସରକାରଙ୍କୁ ଅଡୁଆରେ ପକାଉଥିଲେ । ତେଣୁ ଅଭିଜ୍ଞ ଓ ଭଲ ବକ୍ତା ଭାବରେ ସନାତନଙ୍କୁ ଉପ-ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ବରିଷ୍ଠତା ଦୃଷ୍ଟିରୁ ୪-୪ଥରର ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନାଁ ବି ସାମିଲ ରହିଛି । କଂଗ୍ରେସରୁ ୩ଥର ଓ ଚଳିତ ଥର ସେ ବିଜେପିରୁ ବିଧାୟକ ହୋଇଛନ୍ତି ।

ସରକାରୀ ଦଳ ମୁଖ୍ୟ ସଚେତକଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ଜୋରଦାର ହେଉଛି । ଯେଉଁ ବିଧାୟକ ସରକାର ଓ ବିରୋଧୀଙ୍କ ଭିତରେ ସମନ୍ୱୟ ରଖିପାରୁଥିବ, ସେହିଭଳି ଚେହେରା ଖୋଜୁଛି ବିଜେପି । କୋରେଇର ୨-୨ଥରର ବିଧାୟକ ଆକାଶ ଦାସ ନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ସେହିଭଳି ବରିଷ୍ଠଙ୍କ ମଧ୍ୟରେ ଉଦଳାରୁ ୪-୪ ଥର ବିଧାୟକ ଭାସ୍କର ମଢେଇ ସାମିଲ ଅଛନ୍ତି। ସେହିଭଳି ହିନ୍ଦୋଳରୁ ବିଧାୟକ ହୋଇଥିବା ସୀମାରାଣୀ ନାୟକଙ୍କ ନାଁ ବି ମୁଖ୍ୟ ସଚେତକ ପାଇଁ ଚର୍ଚ୍ଚା ହେଉଛି । ବିଜେଡିରୁ ଆସି ବିଜେପିରୁ ବିଧାୟକ ହୋଇଥିବା ଅନେକ ନେତାଙ୍କୁ ପଦ ମିଳିନଥିବାରୁ ସୀମାରାଣୀଙ୍କ ନାଁ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ମୋଟ୍ ୭୮ ବିଜେପି ବିଧାୟକଙ୍କ ମଧ୍ୟରେ ୫୨ ନୂଆ ଚେହେରା । ତେଣୁ ସରକାରୀ ଦଳ ଉପ-ସଚେତକ ଭାବେ ଜଣେ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ । ଏହି କ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ନାଁ ଚର୍ଚ୍ଚାରେ ରହିଛି ।

 

Get real time updates directly on you device, subscribe now.