fbpx

କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମୈୟା ନା ଶିବକୁମାର, କିଏ ଜନତାଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଘୋଷଣା ହୋଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । ଶାସକ ବିଜେଡିର ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରି ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ । ରାଜ୍ୟର ମୋଟ ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୫ଟି, ବିଜେପି ୬୬ଟି, ଜେଡିଏସ ୧୯ଟି ଓ ଅନ୍ୟ ଦଳ ୪ଟି ଆସନ ପାଇଛନ୍ତି । ତେବେ ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ସିଟ୍ ସଂଖ୍ୟା ୧୧୩ ରହିଥିବା ବେଳେ କଂଗ୍ରେସ ଏହାଠାରୁ ଆଗରେ ରହିଛି । ତେଣୁ ଏବେ ନୂଆ ସରକାର ଗଠନ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି ।

ଏବେ ନଜର କେବଳ ମୁଖ୍ୟମନ୍ତ୍ରୀ ଗାଦି ଉପରେ । କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା । ଏହି ରେସରେ ସିଦ୍ଧରମୈୟା ଓ ଡି.କେ ଶିବକୁମାର ରହିଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ବାଛିପାରେ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆଉ ଜଣେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଅଟନ୍ତି । ଏପରିକି ଦଳ ଜିତିଲେ ମଲ୍ଲିକାର୍ଜୁନ ଖଡ଼ଗେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ନିର୍ବାଚନ ପୂର୍ବରୁ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରିନଥିଲା । ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ବି ସିଏମ ପଦ ପାଇଁ ବାଛିଲେ ତାହା ଦଳରେ କନ୍ଦଳ ସୃଷ୍ଟି କରିପାରେ । ତେବେ ଏକ ସୂତ୍ର ମୁତାବକ, ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଥମ ଦାବିଦାର । ଅନ୍ୟପକ୍ଷରେ ଶିବକୁମାର ବୋକ୍କାଲିଗ ସମ୍ପ୍ରଦାୟର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ମଧ୍ୟ ସିଏମ୍ କରାଯାଇପାରେ । ଏହାଛଡ଼ା ଡେପୁଟି ସିଏମ୍ ପଦ ପାଇଁ ଲିଙ୍ଗାୟତ ସମ୍ପ୍ରଦାୟର ଏମବି ପାଟିଲ ଓ ଦଳିତ ସମ୍ପ୍ରଦାୟର ସିଏମ ପରମେଶ୍ୱରଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି । ତେଣୁ କର୍ଣ୍ଣାଟକର ପରବର୍ତ୍ତୀ ସିଏମ୍ କିଏ ହେବ ସେନେଇ ଆଜି ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ ନିଷ୍ପତ୍ତି ହେବ ।

Get real time updates directly on you device, subscribe now.