fbpx

କିଏ ହେବେ BCCIର ନୂଆ Boss? ଏହି ସବୁ ନାମକୁ ନେଇ ଚର୍ଚ୍ଚା… ପଦ ଛାଡ଼ିବେ ଜୟ ଶାହ?

ନୂଆଦିଲ୍ଲୀ: ଆଇସିସିର ନୂଆ ଚେୟାମ୍ୟାନ୍ ଚୟନ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ତାଲିକାରେ ବିସିସିଆଇ ସଚିବ ଜୟ ଶାହଙ୍କ ନାଁ ସବୁଠାରୁ ଆଗରେ ରହିଛି । ଖୁବଶୀଘ୍ର ତାଙ୍କୁ ଆଇସିସିର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ମିଳିବାର ସମ୍ଭାବନା ଦେଖାଦେଇଛି । କିନ୍ତୁ ଜୟ ଶାହ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି । ଆସନ୍ତା ଡିସେମ୍ବର ୧ ତାରିଖରୁ ନୂଆ ଚେୟାରମ୍ୟାନ୍ ଆଇସିସରେ କାର୍ଯ୍ୟକାଳ ଆରମ୍ଭ କରିବେ । ତେବେ ଜୟ ଶାହ ଯଦି ଆଇସିସି ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ଭାରତୀୟ କ୍ରିକେଟ ବୋର୍ଡ ସଚିବ ଦାୟିତ୍ୱ କାହାକୁ ମିଳିବ? ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଜୟ ଶାହଙ୍କ ପରେ ବିସିସିଆଇ ସଚିବ ଭାବରେ ଦାୟିତ୍ୱ ନେବା ପାଇଁ ୩ଟି ବଡ଼ ନାଁ ସାମନାକୁ ଆସୁଛି

ରାଜୀବ ଶୁକ୍ଳା: ଜୟ ଶାହଙ୍କ ବିକଳ୍ପ ଭାବରେ ବିସିସିଆଇର ସଚିବ ପଦ ରାଜୀବ ଶୁକ୍ଳାଙ୍କୁ ପ୍ରଦାନ କରାଯାଇପାରେ । ବର୍ତ୍ତମାନ ସେ ବୋର୍ଡର ଉପାଧ୍ୟକ୍ଷ ପଦବୀରେ ରହିଥିବା ବେଳେ କଂଗ୍ରେସର ସାଂସଦ ମଧ୍ୟ ରହିଛନ୍ତି । ଏଭଳି ପରିସ୍ତିତିରେ ୧ ବର୍ଷ ପାଇଁ ତାଙ୍କୁ ଏହି ଦାୟିତ୍ୱ ତୁଲାଇବା ପାଇଁ ସୁଯୋଗ ମିଳିପାରେ । ବିସିସିଆଇର ସଚିବ ହେବା ପାଇଁ ରାଜୀବ ମଧ୍ୟ ଇଚ୍ଛା ପ୍ରକାଶ କରିପାରନ୍ତି । କାରଣ ବିସିସିଆଇର ଉଊପାଧ୍ୟକ୍ଷ ରବର-ଷ୍ଟାମ୍ପ ଭଳି ହୋଇଥାନ୍ତି ।

ଆଶିଷ ଶେଲାର: ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ତଥା ଭାରତୀୟ କ୍ରିକେଟ ବୋର୍ଡର କୋଷାଧ୍ୟକ୍ଷ ଆଶିଷ ଶେଲାର ମହାରାଷ୍ଟ୍ର କ୍ରିକେଟରେ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ଜଣେ କୁସଳ ରାଜନୀତିଜ୍ଞ ଭାବରେ ପରିଚିତ ଆଶିଷ ମଧ୍ୟ ଏହି ତାଲିକାରେ ରହିଛନ୍ତି । ବସିସିଆଇ ସଚିବ ପଦ ଅଧିକ ସମୟ ନେଉଥିବା ଏକ ଦାୟିତ୍ୱ । ତେଣୁ ତାଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି ।

ଅରୁଣ ଧୁମଲ: ଆଇପିଏଲ ଚେୟାରମ୍ୟାନ୍ ଅରୁଣ ଧୁମଲଙ୍କ ପାଖରେ ବୋର୍ଡ ଚଳାଇବାର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ବୋର୍ଡର କୋଷାଧ୍ୟକ୍ଷ ଦାୟିତ୍ୱରେ ରହି ସାରିଥିବା ବେଳେ ବର୍ତ୍ତମାନ କ୍ୟାସ୍ ରିଚ୍ ଲିଗର ପ୍ରମୁଖ ଭାବରେ ଦାୟିତ୍ୱ ତୁଲାଉଛନ୍ତି ଅରୁଣ । ରାଜୀବ ଶୁକ୍ଳା ଏବଂ ଅରୁଣ ଧୁମଲଙ୍କ ମଧ୍ୟରେ ପଦବୀର ଅଦଳ-ବଦଳ ମଧ୍ୟ ଏକ ସର୍ବଶ୍ରେଷ୍ଠ ବିକଳ୍ପ ହୋଇପାରେ ।

ରୋହନ ଜେଟଲୀ, ଅଭିଷେକ ଡାଲମିୟା, ଦିଲଶେର ଖାନ୍ନା, ବିପୁଳ ଫଡ଼କେ ଏବଂ ପ୍ରଭତେଜ ଭାଟିୟାଙ୍କ ଭଳି ଯୁବ ପ୍ରଶାସକଙ୍କ ନାମକୁ ନେଇ ମଧ୍ୟ ବିଚାର କରାଯାଇପାରେ । କିନ୍ତୁ ବିସିସିଆଇର ପୂର୍ବ ସଚିବ କହିଛନ୍ତି ଯେ, ବୋର୍ଡର ସତ୍ତା ସଂରଚନା ସାଧାରଣତଃ ସିଷ୍ଟମରେ ଥିବା ଲୋକମାନଙ୍କୁ ଦିଆଯାଏ । ତେଣୁ କୌଣସି ନୂଆ ନାମକୁ ସାମିଲ କରିବା ଅସମ୍ଭବ ମନେ ହେଉଛି । ସେପଟେ ଜୟ ଶାହଙ୍କ ନିଷ୍ପତ୍ତି ପରେ ଏକ ଶୃଙ୍ଖଳାବଦ୍ଧ ପ୍ରତିକ୍ରିୟା ଆରମ୍ଭ ହୋଇପାରିବ ।

Get real time updates directly on you device, subscribe now.